ନୂଆପଡା: ଜିଲ୍ଲାର ସିନାପାଲି ଅଧିଷ୍ଠାତ୍ରୀ ଦେବୀ ମା' ମହୁଳଗୋଛେନ ଶକ୍ତିପୀଠଠାରେ ମା'ଙ୍କ ଦଶହରା ମହାଷ୍ଟମୀ ପାଳିତ ହୋଇଯାଇଛି । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ମା'ଙ୍କ ପୂଜାର୍ଚ୍ଚନା ଯଥା ରୀତିନୀତିରେ ପାଳିତ ହୋଇଥିବାବେଳେ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ନିଷେଧ କରାଯାଇଥିବା ସୂଚନା ମିଳିଛି ।
ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଦଶହରା ପୂଜା ଫିକା ଫିକା ଲାଗୁଛି । ନା ଅଛି ଭକ୍ତମାନଙ୍କ କୋଳାହଳ ନା ଅଛି ରଙ୍ଗବେରଙ୍ଗ ଆଲୋକମାଳାର ସାଜସଜ୍ଜା । ବାଦ୍ୟଯନ୍ତ୍ରରେ ପ୍ରକମ୍ଫିତ ହୋଇପଡୁଥିବା ପୂଜା ମଣ୍ଡପଗୁଡିକ ନିଶବ୍ଦ ଥିଲା ଭଳି ଲାଗୁଛି । ରାଜ୍ୟର ସମସ୍ତ ମଣ୍ଡପ ଭଳି ଦେବୀ ମା' ମହୁଳଗୋଛେନ ଶକ୍ତିପୀଠରେ ମଧ୍ୟ ସ୍ଥିତି ସମାନ ପ୍ରକାରର । କେବଳ ମନ୍ଦିର ଦ୍ବାରରେ ସାମାଜିକ ଦୂରତା ଅବଲମ୍ବନ କରି ଶ୍ରଦ୍ଧାଳୁ ଦର୍ଶନ କରି ଫେରିଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଛତର ଯାତ୍ରା ବାଦ୍ୟଯନ୍ତ୍ରର ନିନାଦରେ ମାଆଙ୍କ ପୀଠ ପ୍ରକମ୍ପିତ ଉଠୁଥିଲା । ହେଲେ ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଛତର ଯାତ୍ରା ବନ୍ଦ କରାଯାଇଥିବା ସୂଚନା ମିଳିଛି । କେବଳ ବିଧି ପାଳନ ହେବ ବୋଲି ପୂଜକ କହିଛନ୍ତି ।
ଇଷ୍ଟଦେବୀ ମହୁଳଗୋଛେନ ମାଆଙ୍କ ସହ ପାର୍ଶ୍ବ ଦେବତା ବାବୁରା,ପରଦେସେନ,ମାଟିଦେବତା ମଧ୍ୟ ନୀତି ନିଘଣ୍ଟ ମଧ୍ୟରେ ପୂଜା ପାଉଛନ୍ତି । 200 ବର୍ଷର ଇଷ୍ଟଦେବୀ ମା' ମହୁଳଗୋଛେନଙ୍କ ସେବା କରି ସେବାୟତମାନେ ବେଶ୍ ଖୁସିଥିବା କହିଛନ୍ତି । ମା'ଙ୍କ ଶରଣ ଗଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ପ୍ରଗାଢ ବିଶ୍ବାସ ରହିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ