ନୂଆପଡା: ସରକାରୀ ବିଧି ବ୍ୟବସ୍ଥାରେ ପୁଣି ଲାଗିଛି କଳଙ୍କର ଛିଟା । ମରଶରୀରକୁ ମାଗଣାରେ ବୋହିବାର ସୁବିଧା ସରକାର କରିଥିବା ବେଳେ ଏ ସୁବିଧାରୁ ବଞ୍ଚିତ ହେଉଛନ୍ତି ଅନେକ ଗରିବ ଜନତା । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜିଲ୍ଲାର ସିନାପାଲି ଥାନା ଘଣ୍ଟିଗୁଡା ଗାଁରେ । ବିଳମ୍ବିତ ରାତିରେ ଆଖି ବୁଜିଥିବା ବୃଦ୍ଧା ଦେଲେଙ୍କ ମରଶରୀର ବୋହିବା ପାଇଁ ପରିବାର ଲୋକଙ୍କୁ ମିଳିନଥିଲା ମହାପ୍ରୟାଣ ଗାଡି । ଫଳରେ ବାଇକରେ ବୁହା ହୋଇଛି ମୃତଦେହ ।
ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ 3ଟା ସମୟରେ ଏକ ବିଷଧର ସାପ କାମୁଡିବାରୁ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ 70 ବର୍ଷୀୟା ଦେଲେ ଦେବଗୁରୁ । ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ ଦେଲେ । ବିଡମ୍ବନାର ବିଷୟ କି ମୃତ୍ୟୁ ପରେ ଦେଲେଙ୍କ ମୃତଦେହକୁ ଗାଁକୁ ନେବା ପାଇଁ ଆସିନଥିଲା ମହାପ୍ରୟାଣ ଗାଡି ।
ଘଟଣାରେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀମାନେ ମଧ୍ୟ ଟାଳଟୁଳ ନୀତି ଆପଣାଇଥିଲେ । ଶେଷରେ ରାତି 4ଟାରୁ ସକାଳ 8ଟା ଯାଏଁ 4 ଘଣ୍ଟା ମୃତଦେହ ଧରି ଅପେକ୍ଷା କରିଥିବା ପରିବାର ଲୋକେ ନେଇଥିଲେ ଟିଭିଏସ୍ ଲୁନାର ସହାୟତା । ହେଲେ କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ପରେ ଏକ ଟାଟା ଏସି ପିକ୍ଅପ୍ ଭ୍ୟାନ କରି ବୃଦ୍ଧାଙ୍କ ମୃତଦେହକୁ ଗାଁକୁ ନେଇଥିଲେ ସମ୍ପର୍କୀୟ ।
ରାଜ୍ୟରେ ମହାପ୍ରୟାଣ ଗାଡିର ବିଫଳତା ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ ଏହି ଘଟଣା ପୁଣି ପ୍ରଶାସନର ସ୍ଥାଣୁତାକୁ ପଦାରେ ପକାଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ