ନୂଆପଡା : ଲକ ଡାଉନ ଯୋଗୁଁ ସାଇକେଲରେ ନିଜ ଗାଁକୁ ଫେରିଲେ 12 ଶ୍ରମିକ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକର 12 ଜଣ ଶ୍ରମିକ ଛତିଶଗଡ଼ର ରାୟପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ଲକ ଡାଉନ ପରେ କମ୍ପାନୀ ବନ୍ଦ ହୋଇ ଯାଇଥିଲା । ଏପରିକ ଲକ ଡାଉନ ଯୋଗୁଁ ଦେଶରେ ଗାଡି ଚଳାଚଳ ଠପ ହୋଇ ଯାଇଥିଲା ।
ସେଠାରେ ରହିଥିବା ଶ୍ରମିକମାନଙ୍କୁ କମ୍ପାନୀ ପକ୍ଷରୁ କି ଛତିଶଗଡ ସରକାରଙ୍କ ପକ୍ଷରୁ ଖାଇବା ଓ ରହିବା ପାଇଁ କୈଣସି ବ୍ୟବସ୍ଥା କରାଯାଇ ନ ଥିଲା। ପାଖରେ ଟଙ୍କା ନ ଥିବାରୁ ଉପାସରେ ଦିନ କାଟୁଥିଲେ ବୋଲି କହିଛନ୍ତି ଶ୍ରମିକ । ଫଳରେ ବାଧ୍ୟ ହୋଉ ଲକ ଡାଉନ କଟକଣାକୁ ବେଖାତିର କରି 12 ଶ୍ରମିକ ସାଇକେଲ ଯୋଗେ ରାୟପୁରରୁ ବାହାରି ନିଜ ଗାଁକୁ ଫେରି ଥିଲେ । ସ୍ଥାନୀୟ ପ୍ରଶାସନ ଫେରନ୍ତା ଶ୍ରମିକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ