ନୂଆପଡ଼ା: ବିଜୟା ଦଶମୀରେ ଲଙ୍କେଶ୍ବରୀଙ୍କ ବହୁ ପ୍ରସିଦ୍ଧ ଖନ୍ଦାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତି ୫୦ ବର୍ଷରେ ମା'ଙ୍କ ଶକ୍ତି ପରୀକ୍ଷା ନେଇ ଏହି ଖନ୍ଦାଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଏହାକୁ ଦେଖିବା ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ତେବେ ଏଥିରେ ଶକ୍ତି ପରୀକ୍ଷା ନେଇ ଠାକୁରାଣୀ କାଳେସୀ ଦେହରେ ଆବିର୍ଭାବ ହୋଇ ନିଆଁରେ ଚାଲିଥିବା ଦେଖିବାକୁ ମିଳିଥିଲା ।
ନୂଆପଡା ଜିଲ୍ଲା ଆଦିବାସୀ ବହୁଳ କୁଲିଗାଁରେ ଅଧିଷ୍ଠାତ୍ରୀ ଦେବୀ ମା' ଲଙ୍କେଶ୍ବରୀଙ୍କ ବହୁ ପ୍ରସିଦ୍ଧ ଖନ୍ଦାଯାତ୍ରା କାହିଁ କେଉଁ ଆବାହମାନ କାଳରୁ ଅନୁଷ୍ଠିତ ହୋଇଆସୁଛି । ପ୍ରତି ୫୦ ବର୍ଷରେ ମା'ଙ୍କ ଶକ୍ତି ପରୀକ୍ଷା ନେଇ ଖନ୍ଦାଯାତ୍ରା ଆୟୋଜନ କରାଯାଏ ବୋଲି ପୂଜକ କୁହନ୍ତି । ଚଳିତ ବର୍ଷ ୫୦ ବର୍ଷ ପୂରଣ ହୋଇଥିବାରୁ ଦେବୀଙ୍କ ଖନ୍ଦାଯାତ୍ରା ହୋଇଛି । ଏଥିରେ ଶକ୍ତି ପରୀକ୍ଷା ଦେବାକୁ ଯାଇ ହୁତୁହୁତ୍ ହୋଇ ଜଳୁଥିବା ନିଆଁ ଖନ୍ଦାରେ ଠାକୁରାଣୀ କାଳେସୀ ଦେହରେ ଆବିର୍ଭାବ ହୋଇ ଖାଲି ପାଦରେ ଚାଲି ଶକ୍ତି ଦେଖାଇଛନ୍ତି । ଦେବୀଙ୍କ ଏଭଳି ଅଲୌକିକ ଶକ୍ତି ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।
ଏହି ଯାତ୍ରା ପ୍ରତି ୫୦ ବର୍ଷରେ ଥରେ ଅନୁଷ୍ଠିତ ହୋଉଥିବା ବେଳେ ବିଜୟା ଦଶମୀ ଦିନ ପରମ୍ପରା ଅନୁସାରେ ପ୍ରଥମେ ଦେବୀ ମା' ଲଙ୍କେଶ୍ବରୀଙ୍କ ସମେତ ପାର୍ଶ୍ବ ଦେବୀ ମା' ଇନ୍ଦ୍ରାଣୀ, ବୁଢ଼ାରଜା, କାଳୀ ସୁନ୍ଦରୀ, କାଳୀକା, ଦୁଲ୍ଲାରୀ ଓ ଛୋଟୀ ମା' ସମେତ ଦେବାଦେବୀଙ୍କ ପୂଜା ପିଦର ଘରେ ଯଥାବିଧି ଅନୁଷ୍ଠିତ ହୋଇଥିଲା । ପରେ ପ୍ରତିପାଦରେ ନୂତନ ଧଳା ବସ୍ତ୍ର ଦେଇ ମା'ଙ୍କୁ ପୂର୍ବରୁ ପ୍ରସ୍ତୁତ ଥିବା ଖନ୍ଦାଶାଳକୁ ନିଆଯାଇଥିଲା । ସେଠାରେ ହଜାର ହଜାର ଜନ ସମାବେଶ ମଧ୍ୟରେ ଠାକୁରାଣୀ କାଳେସୀ ଦେହରେ ଆବିର୍ଭାବ ହୋଇ ନିଆଁରେ ଚାଲିଛନ୍ତି । ଦେବୀ ଲଙ୍କେଶ୍ବରୀ ପ୍ରତ୍ୟକ୍ଷ ଦେବୀ ଅଟନ୍ତି । ଦେବୀଙ୍କ ଆଶୀର୍ବାଦରେ ଧନ ସମ୍ପତ୍ତି ଦୁଃଖ ଦୂର ହୋଇଥାଏ ବୋଲି ଲୋକଙ୍କ ଅଗାଢ ବିଶ୍ୱାସ ରହିଛି ।
ଇଟିଭି ଭାରତ, ନୂଆପଡା