ନୂଆପଡା: ଦଳିତ ଅଧିକାର ମଞ୍ଚ ପକ୍ଷରୁ ବୋଡେ଼ନ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରି ଗୌତମ ବେହେରାଙ୍କ ମୃତ୍ୟୁକୁ ଅନାହାର ମୃତ୍ୟୁ ଘୋଷଣା ଦାବି କରିଛନ୍ତି । ଘେରାଉରେ ଶତାଧିକ ମହିଳା ପୁରୁଷ ନୂଆପଡା ଜିଲ୍ଲାର ବିନପୁର ଗାଁ ଠାରୁ ଆରମ୍ଭ କରି ବୋଡ଼େନ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସୂଚନା ଅନୁସାରେ ଗତ ଜୁଲାଇ ମାସ 9 ତାରିଖରେ ସର୍ଗିମୁଣ୍ଡା ଗାଁର ଦିବ୍ୟାଙ୍ଗ ଯୁବକ ଗୌତମ ବେହେରା ଖାଇବାକୁ ନପାଇ ପ୍ରାଣ ହରାଇଥିବା ଘଟଣାକୁ ଅନାହାର ମୃତ୍ୟୁ ବୋଲି ଦାବି କରୁଛି ନୂଆପଡା ଜିଲ୍ଲା ଦଳିତ ଅଧିକାର ମଞ୍ଚ । ବୋଡ଼େନ ବ୍ଲକ ସର୍ଗିମୁଣ୍ଡା ଗାଁର ଗଜରାଜ ବେହେରାଙ୍କ ଦିବ୍ୟାଙ୍ଗ ଯୁବକ ଗୌତମ ବେହେରା ଏବଂ ଦିବ୍ୟାଙ୍ଗ ଝିଅ ଦେବନ୍ତୀ ବେହେରାଙ୍କୁ ସଉତୁଣୀ ମାଆର କଥାମାନି ଘରୁ ତଡି ଦେଇଥିଲା ସୈତାନ ବାପା ଗଜରାଜ ବେହେରା । ସେହିଦିନ ଠାରୁ ଦୀର୍ଘ 7 ବର୍ଷ ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀ ଏକୁଟିଆ ଅନ୍ୟତ୍ର ରହିଆସୁଥିଲେ।
ଟ୍ରାଏ ସାଇକେଲ ସାହାଯ୍ୟରେ ଗୌତମ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରି ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀ ଦୁଃଖ କଷ୍ଟରେ ଚଳୁଥିଲେ । ହଠାତ ଗୌତମର ସ୍ବାସ୍ଥ୍ୟ ବିଗିଡିବାରୁ ଦୀର୍ଘ ଦିନ ଭିକ୍ଷା ବୃତ୍ତି କରିପାରିଲା ନାହିଁ । ଶେଷରେ ଖାଇବାକୁ ନପାଇ ମୃତ୍ୟୁ ବରଣ କରିଥିବା ଭଉଣୀ ଦେବନ୍ତୀ ବେହେରା 9 ଜୁଲାଇରେ ଅଭିଯୋଗ ଆଣିଥିଲେ। ଖବର ପାଇ ବୋଡ଼େନ ଅତିରିକ୍ତ ବିଡିଓ ମନୋଜ ମହାନ୍ତି ସର୍ଗିମୁଣ୍ଡା ଗାଁକୁ ଯାଇ ଗୌତମର ମୃତଶରୀରକୁ ଦେଖିଥିଲେ । ଏବଂ ଦେଖିବାପରେ ମଧ୍ୟ ମୃତଶରୀର ବ୍ୟବଚ୍ଛେଦ ନକରି ତରବରିଆ ଭାବରେ ଶବସଂସ୍କାର କରିଦେଇଥିଲେ ।
ଯାହାକି ପ୍ରଶାସନକୁ ନିନ୍ଦା କରିଛି ଦଳିତ ଅଧିକାର ମଞ୍ଚ । ଏନେଇ ଗୌତମ ବେହେରାର ମୃତ୍ୟୁକୁ ଅନାହାର ମୃତ୍ୟୁ ଘୋଷଣା କରି ମୃତ ଗୌତମର ଭଉଣୀକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ବାସ ଗୃହ ଯୋଗାଇଦେବାକୁ ଦାବି କରିଛନ୍ତି । ଏହି ଦାବିରେ ଦଳିତ ଅଧିକାର ମଞ୍ଚ ବୋଡ଼େନ ବ୍ଲକ ଘେରାଉ କରିଛନ୍ତି । ସେପଟେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୋଡ଼େନ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ