ନୂଆପଡା: ମହାମାରୀ କୋରୋନାର ପ୍ରତିହତ ପାଇଁ ସବୁ ପଞ୍ଚାୟତର ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର । ଆଉ ଏହି କ୍ଷମତାକୁ ପ୍ରୟୋଗ କରିଛନ୍ତି ଖଡ଼ିଆଳ ବ୍ଳକ ଚିନ୍ଦାଗୁଡ଼ା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରପଞ୍ଚ 48 ଘଣ୍ଟା ପାଇଁ ଗ୍ରାମପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ।
ସରପଞ୍ଚଙ୍କ ସଟଡାଉନ ଘୋଷଣା ପ୍ରଭାବରେ ଦୋକାନ ବଜାର ସହ ଗାଡ଼ି ମୋଟର ଚଳାଚଳ ଠପ ହୋଇପଡିଛି । ଗ୍ରାମପଞ୍ଚାୟତର ସମସ୍ତ ମୁଖ୍ୟ ସଡକକୁ ସିଲ କରିଦିଆଯାଇଛି । ସାମାଜିକ ଦୂରତା ଅବଲମ୍ବନ କରି ଘରେ ରହିବା ସହ ମାସ୍କ ବ୍ୟବହାର ପାଇଁ ଜନ ସାଧାରଣଙ୍କୁ ଅପିଲ କରିଛନ୍ତି ସରପଞ୍ଚ ଈଶ୍ବରୀ ବିଶି ।
ଚିନ୍ଦାଗୁଡ଼ା ଗାଁ କ୍ବାରେଣ୍ଟାଇନ ସେଣ୍ଟରରେ 2 ଜଣ ଯୁବକ କୋଭିଡ ପଜିଟିଭରେ ଆକ୍ରାନ୍ତ ହୋଇଥିବା ନେଇ ରିପୋଟ ପାଇବା ପରେ ଚିନ୍ଦାଗୁଡ଼ା ଗ୍ରାମପଞ୍ଚାୟତରେ ଆତଙ୍କ ଦେଖାଦେଇଛି । ଏଭଲି ସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ପାଇଁ ଗ୍ରାମପଞ୍ଚାୟତକୁ 48 ଘଣ୍ଟା ସଟଡାଉନ ଘୋଷଣା କରିଥିବା ସରପଞ୍ଚ କହିଛନ୍ତି । ତେବେ ସରପଞ୍ଚଙ୍କ ଏଭଲି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ବାଗତ ଜଣାଇବା ସହ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ