ନୂଆପଡା: ବୋଡେନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଯୋଗାଣ ସହାୟକ, ମିଳିମିଶି ଖାଉଟିଙ୍କ ପେଟରେ ଲାତ ମାରି ହଡପ କରୁଛନ୍ତି ଟଙ୍କିକିଆ ଚାଉଳ । ଫଳରେ ଗରିବ ହିତାଧିକାରୀମାନେ ଧାର୍ଯ୍ୟ କିଲୋଗ୍ରାମ ଠାରୁ କମ ଚାଉଳ ନେଉଥିବା ଅଭିଯୋଗ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ସରକାରଙ୍କ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଗରିବ ଲୋକମାନଙ୍କୁ ଟଙ୍କିକିଆ ଚାଉଳ ବଣ୍ଟନ ବ୍ୟବସ୍ଥା କରାଯାଇଛି । ଏହି ଆଇନ ଆଳରେ ପ୍ରତ୍ୟେକ ହିତାଧିକାରୀଙ୍କ ମୁଣ୍ଡ ପିଛା ପ୍ରତି ମାସରେ ୫ କିଲୋଗ୍ରାମ ଚାଉଳ ଗ୍ରାମପଞ୍ଚାୟତ ଜରିଆରେ ପାଇବାର ନିୟମ ରହିଛି । ହେଲେ କର୍ଲାକୋଟ ଗ୍ରାମପଞ୍ଚାୟତରେ ଯୋଗାଣ ସହାୟକ ସିଧାସଳଖ ବସ୍ତା ପ୍ରତି ୫ କିଲୋଗ୍ରାମ ଚାଉଳ ହଡପ କରି ଚାଲିଛନ୍ତି ।
ମାସକୁ ସମୁଦାୟ ୮୯୫୪ ବସ୍ତା ଚାଉଳ ସପ୍ଲାଏ ହୋଇଥାଏ । ଯେଉଁଥିରେ ବସ୍ତା ପ୍ରତି ୪୫ କିଲୋଗ୍ରାମ ଚାଉଳ ରହୁଥିବା ବେଳେ,ଏହାକୁ ୫୦ କିଲୋଗ୍ରାମ ଦର୍ଶାଇ ଖାଉଟିଙ୍କୁ ଠକି ଚାଲିଛନ୍ତି ଯୋଗାଣ ସହାୟକ । ଏ ସମ୍ପର୍କରେ ଆମ ପ୍ରତିନିଧି ବୋଡେନ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ସାକ୍ଷାତ କରିଥିଲେ । ବିଡିଓଙ୍କ କହିବାନୁଯାୟୀ, ଚାଉଳ ବସ୍ତା ପ୍ରତି ୫୦ କିଲୋଗ୍ରାମ ସପ୍ଲାଏ କରାଯାଏ ନାହିଁ । ଗୋଟିଏ ବସ୍ତାରେ ଯେତେ ବି ଚାଉଳ ଥାଉ ନା କାହିଁକି ତାକୁ ଖୋଲି ଓଜନ କରି ହିତାଧିକାରୀଙ୍କୁ ଦେବା ନିୟମ ରହିଛି ।
ତେବେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋଡେନ ବିଡିଓ ପ୍ରତିଶ୍ରୁତି ଦେଇଥିବା ବେଳେ ଏହା କେତେ ଦୂର ଫଳପ୍ରଦ ହେଉଛି, ତାହା ଦେଖିବାକୁ ବାକି ରହିଲା ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ