ନୂଆପଡା: ବଣ ପାହାଡଘେରା ଅବହେଳିତ ଚଉଁରା ଗାଁ । ୧୫୦୦ ଜନସଂଖ୍ୟା ବିଶିଷ୍ଟ ଛୋଟ ଗାଁରେ ଦେଖାଦେଇଛି ଅଜଣାରୋଗ । ପିଲାଟି ଜନ୍ମରୁ ଭିନ୍ନକ୍ଷମ ହେଇ ଜନ୍ମ ହେଉଛି ଅବା କିଛି ଦିନ ପରେ ସେ ଭିନ୍ନକ୍ଷମ ପାଲଟିଯାଉଛି । ବର୍ତ୍ତମାନ ଗାଁରେ ୨୦ ଜଣରୁ ଅଧିକ ଶିଶୁ, ଯୁବକ, ଯୁବତୀ ଅନ୍ଧ ମୂକ ବଧିର ଶାରୀରିକ ଭିନ୍ନକ୍ଷମ ଏବଂ ମାନସିକ ବିକୃତି ଥିବା ଦେଖାଦେଇଛି । ତେବେ କେଉଁ କାରଣରୁ ଛୋଟ ଶିଶୁମାନେ ଏଭଳି ଆକ୍ରାନ୍ତ ହେଉଛନ୍ତି ତାହାକୁ ନେଇ ଏବେ ଗାଁଲୋକେ ଆତଙ୍କିତ ।
ଛୋଟ ବୟସରୁ ମାଡିଆସୁଛି ରାକ୍ଷାସୀ ରୂପୀ ଅଜଣାରୋଗ । କାହାକୁ ଅନ୍ଧ ତ କାହାକୁ କରିଦେଉଛି ମାନସିକ ବିକୃତ। ଧିରେ ଧିରେ ଗୋଟିଏ ପରିବାରରୁ ଅନ୍ୟ ପରିବାରକୁ ବ୍ୟାପିବାରେ ଲାଗିଛି ଏହି ରୋଗ। ଗାଁକୁ ବିଶେଷଜ୍ଞ ଡାକ୍ତରୀଦଳ ପହଞ୍ଚିବା ଯେପରି ଜରୁରୀ ହୋଇ ପଡିଛି ।
ଗାଁରେ ଲୋକେ ଚାଷ କାମ କଲେ ପେଟକୁ ଦି ଗୁଣ୍ଡା ଦାନା ନିଅନ୍ତି । ଆଉ ଏହି ଦୂରାରୋଗ୍ୟର ଚିକିତ୍ସା ପାଇଁ ନିଅଣ୍ଟ ଅର୍ଥ । ଗାଁରେ ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଆଶାଦିଦି ସମସ୍ତେ ଅଛନ୍ତି, ହେଲେ ଏହା କେଉଁ ରୋଗ ତାହା କେହି ଜାଣିପାରୁନାହାଁନ୍ତି । ଏନେଇ ଆମ ଇଟିଭି ଭାରତ ଟିମ ଭେଟିଥିଲା ଚଉଁରାର ସରପଞ୍ଚକୁ । ଗାଁର ଏପରି ଅବସ୍ଥାରେ ସୁଧାର ଆଣିବା ପାଇଁ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ