ନୂଆପଡା: କାନ୍ଥରେ ଅଙ୍କା ଯାଇଛି ମନଲୋଭା ଚିତ୍ରକଳା । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଚିତ୍ର ସହ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରାଙ୍କ ଛବି ବି ରହିଛି । ତା ସାଙ୍ଗକୁ ସ୍ଥାନ ପାଇଛି ଓଡିଶାର କଳା ସ୍ଥାପତ୍ୟ । ପୁରା ଜୀବନ୍ତ ପରି ଲାଗୁଛି । ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ସହରବାସୀଙ୍କ ପାଇଁ କେନ୍ଦ୍ରବିନ୍ଦୁ ପାଲଟିଛି । ଉତ୍ତମ ପରିବେଶ ସହ କାନ୍ଥବାଡର ଆକର୍ଷଣୀୟ ଜୀବନ୍ତ ଚିତ୍ରକଳା ଛାତ୍ରଛାତ୍ରୀଙ୍କ ମନକିଣୁଛି । ଅବିଭାବକ, ଛାତ୍ରଛାତ୍ରୀ ତଥା ସହରବାସୀଙ୍କୁ ଏକ ପର୍ଯ୍ୟଟନ କ୍ଷେତ୍ର ଭଳି ଭ୍ରମସୃଷ୍ଟି କରୁଛି ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ । ବିଦ୍ୟାଳୟକୁ ମନଭରି ଦେଖିବାପାଇଁ ଏବେ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି ।
ଜିଲ୍ଲା ସଦର ମହୁକମା ଠାରୁ 70 କିଲୋମିଟର ଦୂରତା ଖଡ଼ିଆଳ ସହର ଠାରେ ଅବସ୍ଥିତ ବହୁ ପୁରାତନ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି । ଅତୀତରେ ଏହି ବିଦ୍ୟାଳୟ ଅନେକ ଖ୍ୟାତିନାମା ଅର୍ଜନ କରିଛି । କାନ୍ଥବାଡରେ ଜୀବନ୍ତ ଚିତ୍ରକଳା ଶୋଭା ବଢାଉଛି । ଗ୍ରାମୀଣ ଖେଳକୁଦ, ଅତ୍ୟାଧୁନିକ ବିଜ୍ଞାନଗାର,ପାଠ୍ୟପୁସ୍ତକର ଚିତ୍ର ଛାତ୍ରଛାତ୍ରୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତାସହ ମହାମାରୀ କୋଭିଡ ,ରକ୍ତଦାନ,ସ୍ୱଚ୍ଛଭାରତ ଭଳି ଏକାଧିକ ସଚେତନତା ବାର୍ତ୍ତା ପିଲାଙ୍କ ମନରେ ସଚେତନ ସୃଷ୍ଟି କରୁଛି ।
ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ 1943 ମସିହାରେ ସ୍ଥାପିତ ହୋଇଥିଲା । ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ବିଭିନ୍ନ ଉଚ୍ଚ ପଦପଦବୀର ରହିଛନ୍ତି । ଯାହା ବିଦ୍ୟାଳୟ ପାଇଁ ବେଶ ଖ୍ୟାତି ଅର୍ଜନ କରିଛି । ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଚଳିତ ବର୍ଷ 450 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ରାଜ୍ୟ ସରକାରଙ୍କ 5T ଯୋଜନାରେ ବିଦ୍ୟାଳୟ ସାମିଲ ହୋଇଛି । ଯାହାକୁ ନେଇ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ପ୍ରତି ବେଶ ଗୁରୁତ୍ୱ ଦେଉଛନ୍ତି ପ୍ରଧାନ ଶିକ୍ଷକ । ବିଦ୍ୟାଳୟରେ 4ଗୋଟି ସ୍ମାଟ କ୍ଳାସ ରୁମ ରହିଛି । ଯେଉଁଥିରେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ପିଲାଏ ପାଠ ପଢୁଛନ୍ତି । ବିଦ୍ୟାଳୟରେ ଅତ୍ୟାଧୁନିକ ବିଜ୍ଞାନଗାର, ଗ୍ରନ୍ଥାଗାର,ଇଣ୍ଡୋର ଗେମ,ଟେବୁଲ ଟେନିସ, କ୍ୟାରମ,ଚେସ,କବାଡି,ଖୋକୋ, ଫୁଟବଲ ଓ କ୍ରିକେଟ ପ୍ରତି ଗୁରୁତ୍ୱ ଦେଉଥିବା କରିଛନ୍ତି ଖେଳ ଶିକ୍ଷକ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ