ନୂଆପଡ଼ା: ଜିଲ୍ଲାରେ ଥିବା ବୋଡେନ ବସଷ୍ଟାଣ୍ଡ ଛକ ସ୍ବଳ୍ପ ବର୍ଷାପାଣିରେ ଜଳମଗ୍ନ ହୋଇପଡିଛି । ଏହି ରାସ୍ତା ଦେଇ ବିଡ଼ିଓ, ଜିଲ୍ଲାପାଳ, ତହସିଲଦାର ଯିବା ଆସିବା କରୁଥିଲେ ମଧ୍ୟ ଜଳ ନିଷ୍କାସନ କରିବା ଦିଗରେ କୌଣସି ପଦକ୍ଷେପ ନେଇନଥିବା ଦେଖିବାକୁ ମିଳିଛି ।
ବୋଡେ଼ନ ବସଷ୍ଟାଣ୍ଡ ଛକରେ ବର୍ଷାପାଣି ଦ୍ବାରା କୃତ୍ରିମ ବନ୍ୟା ସୃଷ୍ଟି କରିବା ଘଟଣା ବର୍ଷେ କି ଦୁଇ ବର୍ଷର ଘଟଣା ନୁହେଁ ଦୀର୍ଘ ବର୍ଷରୁ ଏଭଳି ସମସ୍ୟା ଲାଗି ରହିଛି । ବସଷ୍ଟାଣ୍ଡ ଛକ ବୋଡେ଼ନ ଗ୍ରାମର ମୁଖ୍ୟ 3 କୋଣିଆ ଛକ, ଖଡ଼ିଆଳ ସହରଠାରୁ ସିଧା ଗଲେ ବୋଡେ଼ନ ଛକ, ଆଗକୁ ସିନାପାଲି ରାସ୍ତା ଏବଂ ଡାହାଣକୁ ମୋଡ଼ିଲେ ବୋଡେ଼ନ ଗ୍ରାମ ଓ ବୋଡେ଼ନ ବ୍ଲକ କାର୍ଯ୍ୟାଳୟକୁ ଲମ୍ବିଛି ରାସ୍ତା ।
ଦୀର୍ଘ ବର୍ଷରୁ ଏଠାରେ କୃତ୍ରିମ ଜଳ ଭଣ୍ଡାର ପରି ଦେଖାଦେଇଥାଏ। ନିକଟରେ ବିଦ୍ୟାଳୟ ଲାଗି ରହିଥିବା ବେଳେ ଦୂଷିତ ପାଣି ଡେଇଁ ପିଲାମାନେ ଯାତାୟତ କରୁଛନ୍ତି । ଏହି ରାସ୍ତା ଦେଇ ସରକାରୀ କର୍ମଚାରୀ ଯାଉଥିବା ବେଳେ ଜଳ ନିଷ୍କାସନ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ବୋଡେ଼ନ ମୁଖ୍ୟ ଛକ ଅବସ୍ଥା ଯଦି ଏପରି ତେବେ ଗାଁ ଗଣ୍ଡା ଗଳି ଛକ ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ