ନୂଆପଡା: ନୂଆପଡା, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର 12 ଜଣ ପ୍ରବାସୀ ଓଡିଆ ଦାଦନ ଶ୍ରମିକ ବ୍ରହ୍ମପୁର ହଳଦିଆ ପଦର ସହାୟକ କେନ୍ଦ୍ରରେ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଆଜିକୁ 3ଦିନ ହେଲାଣି ସେମାନେ ସେଠାରେ ପଡି ରହିଥିବାବେଳେ, ନିଜ ଜିଲ୍ଲାକୁ ଯିବାପାଇଁ ସ୍ଥାନୀୟ ପ୍ରଶାସନ କୌଣସି ବ୍ୟବସ୍ଥା କରୁନଥିବା ଅଭିଯୋଗ ହୋଇଛି ।
ସୂଚନାମୁତାବକ, ନୂଆପଡା ଜିଲ୍ଲା ରାଣୀମୁଣ୍ଡା ଗ୍ରାମପଞ୍ଚାୟତର 8 ଜଣ କଳାହାଣ୍ଡି ଜିଲ୍ଲା ବିଜମରା ଜୁନାଗଡ଼ର 2 ଜଣ ଏବଂ ବଲାଙ୍ଗୀର ଜିଲ୍ଲା ବଡ଼ବ୍ୟାଙ୍କ ତରାସରା ଗ୍ରାମପଞ୍ଚାୟତର 2ଜଣ ସମୁଦାୟ 12 ଜଣ ଦାଦନ ଶ୍ରମିକ ତାମିଲନାଡୁରେ ଫସିରହିଥିଲେ ।
କାମରେ ନିୟୋଜିତ କମ୍ପାନୀ ଏବଂ ସେଠାକାର ସରକାର ଦାଦନ ଶ୍ରମିକଙ୍କ କୌଣସି ଖାଇବା ରହିବା ବ୍ୟବସ୍ଥା କରିନଥିଲେ । ଯାହାଫଳରେ ସେମାନେ ପାଦରେ ଚାଲିଚାଲି ନିଜ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଏହାପରେ ଦାଦନ ଶ୍ରମିକ ବ୍ରହ୍ମପୁର ଆସି ପହଁଞ୍ଚିଲା ବେଳକୁ ସେଠାକାର ପ୍ରଶାସନ ଅଟକ ରଖି ସେମାନଙ୍କୁ ନିଜ ଜିଲ୍ଲାକୁ ବସ ଯୋଗେ ପଠାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ହେଲେ, ଆଜିକୁ 3 ଦିନ ଗଢି ଯାଇଥିଲେ ସୁଦ୍ଧା ବ୍ରହ୍ମପୁର ପ୍ରଶାସନ ଦାଦନ ଶ୍ରମିକଙ୍କ କୌଣସି ସୁବିଧା କରୁନାହାନ୍ତି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ତତକ୍ଷଣାତ ଆସୁଥିବା ଶ୍ରମିକମାନକୁ ବସ ଯୋଗେ ତାଙ୍କ ଜିଲ୍ଲାକୁ ପଠାଇ ଦେଉଥିବା ବେଳେ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଜିଲ୍ଲାର 12 ଜଣ ଶ୍ରମିକମାନଙ୍କୁ ଅଣଦେଖା କରୁଥିବା ଶ୍ରମିକମାନେ ଏକ ଭିଡ଼ିଓ ଜାରିକରି ଈଟିଭି ଭାରତକୁ ଜଣାଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ