ନୂଆପଡା: ଜିଲ୍ଲା ଖଡ଼ିଆଳ ବ୍ଲକ ଚଲାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟିଏମସି ସେଣ୍ଟରରେ ଅଘଟଣ । 6 ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁର ନାମ ବର୍ଷା କାଳସାଏ ବୋଲି ଜଣାପଡିଛି । ଶିଶୁ କନ୍ୟାଟି ଖଡ଼ିଆଳ ବ୍ଲକ ଝୋଳପଥର ଗାଁର ବାସିନ୍ଦା । ଟିଏମସି ସେଣ୍ଟର ଦାୟିତ୍ବରେ ଥିବା କର୍ମଚାରୀ, ଜନପ୍ରତିନିଧିଙ୍କ ଅବହେଳା କାରଣରୁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଶିଶୁର ବାପା ମାଆ ।
ସୂଚନାନୁଯାୟୀ, ଖଡ଼ିଆଳ ବ୍ଲକ ଝୋଳପଥର ଗାଁର ଡାକ୍ତର କାଳସାଏଙ୍କ ସ୍ତ୍ରୀ ଜୋସ୍ନା କାଳସାଏ ଦାଦନ ଖଟିବା ପାଇଁ ସୁଦୂର ହାଇଦ୍ରାବାଦ ଯାଇଥିଲେ । ଲକଡାଉନ କାରଣରୁ ସରକାରଙ୍କ ସହାୟତାରେ ସେଠାରୁ ଫେରି ଆସି କିଛିଦିନ ନେସନାଲ କଲେଜ ନୂଆପଡା ଟିଏମସିରେ ରହିଥିଲେ । ଶୁକ୍ରବାର ସ୍ବତନ୍ତ୍ର ବସ ଯୋଗେ ଖଡ଼ିଆଳ ବ୍ଲକ ଚଲାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟିଏମସି ସେଣ୍ଟରକୁ ତାଙ୍କୁ ପଠାଯାଇଥିଲା ।
ସେଠାରେ ରହିବା ସମୟରେ ଶିଶୁ କନ୍ୟାର ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ସରପଞ୍ଚ, ଅଧିକାରୀଙ୍କୁ ଜଣାଇ ଥିଲେ । ହେଲେ ରାତ୍ରି ହେଲାଣି ସକାଳେ ଦେଖିବା କହି ଚିକିତ୍ସା ପ୍ରତି ଅବହେଳା କରିଥିବା ଶିଶୁ କନ୍ୟାର ପିତା ମାତା ଅଭିଯୋଗ କରିଛନ୍ତି । ଆଜି ଶିଶୁ କନ୍ୟାର ଶୋଚନୀୟ ଭାବରେ ମୃତ୍ୟୁ ହୋଇଯାଇଛି । ଏହି ଖବର ଜଣାପଡିବା ପରେ ନୂଆପଡା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।
ନୂଆପଡାରୁ ମୋତିଲାଲ ବାଗ, ଈଟିଭି ଭାରତ