ନୟାଗଡ଼: ଜିଲ୍ଲାର ଗଣିଆ ବ୍ଲକ ସମ୍ମୁଖରେ ଜଣେ ମହିଳା ଧାରଣା ଦେଇଛନ୍ତି । ବ୍ୟାଙ୍କ ମିତ୍ର ନିଯୁକ୍ତିରେ ଅନିୟମିତତା ପ୍ରତିବାଦରେ ବ୍ଲକ ସମ୍ମୁଖରେ ମହିଳା ଜଣକ ଧାରଣା ଦେଇଥିବା ଜଣାପଡ଼ିଛି । ତେବେ ସେ ହରିଜନ ମହିଳା ହୋଇଥିବାରୁ ଜାଣିଶୁଣି ଏପରି କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଗଣିଆ ବ୍ଲକ କିଶୋରପ୍ରସାଦ ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ପଦବୀ(Employment in Bank Mitra) ପାଇଁ ନିଯୁକ୍ତି ବାହାରିଥିଲା । ଏଥିରେ କିଶୋର ପ୍ରସାଦ ଗ୍ରାମର ସୀତା ମଳିକ ମଧ୍ୟ ଆବେଦନ କରିଥିଲେ । ହେଲେ ପରୀକ୍ଷା ସମୟରେ ପରୀକ୍ଷା ଦେବାକୁ ତାଙ୍କୁ ସୁଯୋଗ ଦିଆଯାଇନଥିଲା । ଏହାର ପ୍ରତିବାଦରେ କିଛି ମାସ ପୂର୍ବରୁ ସୀତା ବ୍ୟାଙ୍କରେ ମଧ୍ୟ ଧାରଣା ଦେଇଥିଲେ । ବ୍ଲକ ଅଧ୍ୟକ୍ଷ ଏବଂ BDO ସୀତାଙ୍କ ସମସ୍ୟା 7 ଦିନ ମଧ୍ୟରେ ସମାଧାନ କରିବେ ବୋଲି କହିବାରୁ ସେ ଧାରଣା ପ୍ରତ୍ୟାହୃତ କରିଥିଲେ ।
ହେଲେ 5 ମାସ ବିତିଯାଇଥିଲେ ସୁଦ୍ଧା ସୀତାଙ୍କ କୌଣସି ଦାବି ପୂରଣ କରାଯାଇ ନାହିଁ । ଏଥିପାଇଁ ସେ ପୁନର୍ବାର ଧାରଣା ଦେଇଛନ୍ତି । ଜଣେ ସ୍ବାମୀ ପରିତ୍ୟକ୍ତ ଏବଂ ହରିଜନ ମହିଳା ହୋଇଥିବାରୁ ଜାଣିଶୁଣି ତାଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରିଥିବା ଅଭିଯୋଗ କରି ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି ସେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ