ନୟାଗଡ଼: ରାଜ୍ୟ ସରକାର ପାନୀୟ ଜଳର ସୁବିଧା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହାର ସୁବିଧା ପାଇ ପାରୁନାହାଁନ୍ତି ଲୋକେ । ପାଣି ବୁନ୍ଦାଏ ପାଇଁ ହେଉଛନ୍ତି ଡହଳ ବିକଳ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପଞ୍ଚାୟତର ସୁଣ୍ଢିଝୋଲା ଗାଁରେ ଦେଖିବାକୁ ମିଳିଛି ଜଳାଭାବ ।
ଏହି ଗାଁରେ 5 ଶହରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ଆଶାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଓଭର ହେଡ଼ ପାଣି ଟାଙ୍କି କରାଯାଇଛି । କିନ୍ତୁ ଏହା କାମରେ ଆସୁନି । ପାଣି ଟାଙ୍କିରୁ ଘରକୁ ପାଣି ଯୋଗାଇଦେବାକୁ ପାଇପ ମଧ୍ୟ ବିଛାଯାଇଛି । ହେଲେ ତାହା କାମରେ ଆସୁନଥିବାରୁ ଡାହୁକା ନଦୀ ଉପରେ ନିର୍ଭର କରିଥାନ୍ତି ଗ୍ରାମବାସୀ । ନଦୀ କୂଳରେ ଚୁଆ କରି ପାଣି ସଂଗ୍ରହ କରୁଛନ୍ତି ଲୋକେ । ପାଣି ଆଣିବାକୁ ହେଲେ ଲୋକଙ୍କୁ ପ୍ରାୟ ଏକ କିଲୋମିଟର ଯିବାକୁ ପଡୁଛି ।
ଏପଟେ ଗ୍ରାମରେ ଥିବା ପାଣି ଟାଙ୍କିକୁ ଚାଲୁ କରିବା ପାଇଁ ଗ୍ରାମବାସୀ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ