ନୟାଗଡ଼: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ l ଏଥିପାଇଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ଗହଳି ଲାଗିବା ସହ ଭୋଜି ଭାତରେ ମଜୁଛନ୍ତି ପର୍ଯ୍ୟଟକ l
ଦୀର୍ଘଦିନ ପରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖୋଲିଥିବାବେଳେ ଏହି ସ୍ଥଳୀଗୁଡିକରେ ପର୍ଯ୍ୟଟକଙ୍କର ଭିଡ଼ ଲାଗୁଛି l ଏବେ ବି କୋରୋନା ସଙ୍କଟ ହଟି ନଥିବା କାରଣରୁ ପର୍ଯ୍ୟଟନସ୍ଥଳୀ ଗୁଡିକରେ କୋଭିଡ ନିୟମ କଡାକଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି l
କିନ୍ତୁ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଟଗଡ଼ ଅନନ୍ତ ଗୁମ୍ଫା ବା ବାଘ ଗୁମ୍ଫାରେ ଆଜି(ଗୁରୁବାର) କୋଭିଡ ନିୟମକୁ ପର୍ଯ୍ୟଟକମାନେ ଫୁ କରି ଉଡାଇ ଦେଇଥିବା ଦେଖାଦେଇଛି l କେବଳ ଏଠି ନୁହେଁ ଜିଲ୍ଲାର ଅନେକ ପର୍ଯ୍ୟଟନସ୍ଥଳୀରେ ବି ଲୋକମାନେ କୋଭିଡ଼ ନିୟମକୁ ମାନୁ ନାହାଁନ୍ତି l ଭୋଜି ଭାତରେ ମଜୁଛନ୍ତି ପର୍ଯ୍ୟଟକ l ନା ଲୋକଙ୍କ ମୁଁହରେ ଥିଲା ମାସ୍କ ନା ସାମାଜିକ ଦୂରତା l
ଅନ୍ୟପଟେ ସ୍ଥାନୀୟ ପୋଲିସ ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି କର୍ମଚାରୀ ନଥିବା କାରଣରୁ ବହୁ ସଂଖ୍ୟାରେ ଲୋକମାନେ ମାଇକ ବଜାଇ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଦେଖାଦେଇଛି l ଏହି ଘଟଣା ଦେଖିଲେ ଲାଗୁଥିଲା ଯେମିତି, ପିକନିକ ପାଇଁ ଲୋକମାନେ ଏଠାକୁ ଆସିନାହାନ୍ତି ବରଂ କୋରୋନା ଆଦାନ ପ୍ରଦାନ କରିବାକୁ ଆସିଛନ୍ତି l ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡ଼ିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ