ନୟାଗଡ଼ : ଗଣେଶ ପୂଜାରେ ଅଘଟଣ । ପୋଖରୀରେ ବୁଡ଼ି 2 ଶିଶୁ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ସଦର ଥାନା ଅନ୍ତର୍ଗତ ଖୁଣ୍ଟୁବନ୍ଧ ପଞ୍ଚାୟତର ସଠିଆପଲ୍ଲୀ ଗାଁରେ । ପୋଖରୀକୁ ଗାଧେଇବାକୁ ଯାଇ ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକ ନାବାଳକ ଦ୍ବୟ ହେଲେ ଚନ୍ଦ୍ର ଶେଖର ସ୍ୱାଇଁ ଏବଂ ରୁଦ୍ର ମାଧବ ସ୍ୱାଇଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ସୂଚନାନୁସାରେ ଆଜି ୨ ନାବାଳକ ଏକା ସାଙ୍ଗରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ପ୍ରଥମେ ଜଣଙ୍କ ଗୋଡ଼ ଖସି ଯାଇଥିଲା । ହେଲେ ଭାଇକୁ ବଞ୍ଚାଇବାକୁ ଯାଇ ଆର ଜଣଙ୍କର ମଧ୍ୟ ଗୋଡ଼ ଖସିଯାଇଥିଲା । ଫଳରେ ଉଭୟ ପୋଖରୀ ଭିତରେ ବୁଡ଼ିଯାଇଥିଲେ । ଦୀର୍ଘ ସମୟ ଯାଏଁ ଉଭୟ ବଞ୍ଚିବା ପାଇଁ ଚେଷ୍ଟା କରିଥିଲେ । ଶେଷରେ ଦୁଇ ଭାଇ ପୋଖରୀରେ ବୁଡ଼ି ଯାଇଥିଲେ ।
ଅନ୍ୟପକ୍ଷରେ ଅନେକ ସମୟ ଧରି ୨ ପୁଅ ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ପୋଖରୀ କୂଳକୁ ଯାଇଥିଲେ । ହେଲେ ସେଠାରେ ଦୁଇ ପୁଅକୁ ପାଇନଥିଲେ । ଏହି ଖବର ପ୍ରଚାର ହେବାପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏହାପରେ ପୋଖରୀ ଭିତରୁ ଗ୍ରାମବାସୀ ୨ଭାଇଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର କରି ତୁରନ୍ତ ନୟାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ l ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ଦୁଇପୁଅଙ୍କୁ ହରାଇ ମା' କାନ୍ଦି କାନ୍ଦି ଅଚେତ ହୋଇ ପଡୁଛି ।
ପରିବାରରେ କେହି ବି ଗ୍ରହଣ କରିପାରୁ ନାହାଁନ୍ତି ଯେ ତାଙ୍କର ଦୁଇ ପୁଅ ଚନ୍ଦ୍ର ଶେଖର ଏବଂ ରୁଦ୍ର ଆଉ ଏ ଦୁନିଆରେ ନାହାଁନ୍ତି । ଏନେଇ ଖବର ପ୍ରଚାରିତ ହେବାପରେ ହସ୍ପିଟାଲ ପରିସରରେ ଲୋକଙ୍କ ଗହଳି ଜମିଛି । ଉଭୟ ବାପା, ମା ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି । ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଇଟିଭି ଭାରତ, ନୟାଗଡ଼