ନୟାଗଡ଼: ଆଜି ଠାରୁ ଚଳିତବର୍ଷର ରାଜସୁନାଖଳା ମହୋତ୍ସବ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଧି ପୁର୍ବକ ମହୋତ୍ସୋବ ପ୍ରଥମ ଦିବସରେ ମସାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରସିଦ୍ଧ ଠାକୁରାଣୀ ମା କାଉଁରୀଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ରାଜସୁନାଖଳା ଗ୍ରାମ ପରିକ୍ରମା କରିଥିଲା l ଚଳିତ ବର୍ଷ କରୋନା କଟକଣା ପାଇଁ ସମସ୍ତ କାର୍ଯ୍ୟକ୍ରମକୁ ବାଦ ଦିଆଯାଇଥିବା ବେଳେ ସନ୍ଧ୍ୟାରେ ସ୍ଥାନୀୟ କିଛି ଅତିଥିଙ୍କୁ ନେଇ ଏକ ସଭା ଏବଂ ପରେ ଭର୍ଚୁଆଲ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ଗତବର୍ଷ ରାଜସୁନାଖଳାରେ ପ୍ରଥମ ଥର 5 ଦିନ ବ୍ୟାପୀ ମହା ଆଡ଼ମ୍ବର ସହକାରେ ଆୟୋଜିତ ହୋଇଥିଲା" ରାଜସୁନାଖଳା ମହୋତ୍ସବ କାଉଁରୀ 2019 " l ପ୍ରଥମ ବର୍ଷରେ ସମସ୍ତଙ୍କ ଆକର୍ଷଣର ଏବଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା l ଲୋକପ୍ରିୟ ସିନେ ତାରକାଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ଭିଡ଼ ଲାଗିଥିଲା l ମିନା ବଜାର ସାଙ୍ଗକୁ ପ୍ରଦର୍ଶନୀ ମେଳା ଲୋକଙ୍କୁ ବେଶ ଆକର୍ଷିତ କରିଥିଲା l ଓଡ଼ିଶାର ଏକ ପ୍ରମୁଖ ମହୋତ୍ସବରେ ପରିଣତ ହୋଇଥିଲା l
କିନ୍ତୁ କରୋନା ସାଜିଲା ବାଧକ l ସେଥିପାଇଁ ପାଇଁ ନିରାଡ଼ମ୍ବର ସହକାରେ ଭରଚୁଆଲ ମାଧ୍ୟମରେ ମହୋତ୍ସବ ହେବ l ଦେଖିବାକୁ ମିଳିବନି ସିନେ ଆର୍ଟିଷ୍ଟ, ଲୋକପ୍ରିୟ ନ୍ୟୁଜ ଆଙ୍କର କିମ୍ବା ରାଜନେତାଙ୍କୁ l ଡିସେମ୍ବର 8 ତାରିଖ ଏହାର ପ୍ରତିଷ୍ଠା ଦିବସ ହୋଇଥିବାରୁ ଆଜି କେବଳ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଏକ ଦିବସୀୟ ଡ଼ିଜିଟାଲ ମହୋତ୍ସବ ସନ୍ଧ୍ୟାରେ ଅନୁଷ୍ଠିତ ହେବ l ଫେସବୁକ ମାଧ୍ୟମରେ ଲୋକମାନେ ଏହାକୁ ଦେଖିପାରିବେ l
ଆଜି ଅନୁଷ୍ଠିତ ହୋଇଥିବା ମସାଲ ଶୋଭାଯାତ୍ରାକୁ ରାଜସୁନାଖଳା ମହୋତ୍ସବ କମିଟି ସମସ୍ତ ସଦସ୍ୟଙ୍କ ସମେତ ସଭାପତି ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ, ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ଉପଦେଷ୍ଟା କୈଳାଶ ଚନ୍ଦ୍ର ସାହୁ, ଉପସଭାପତି ପ୍ରସନ୍ନ ସାହୁ, ସହ ସମ୍ପାଦକ ଶ୍ରୀନିବାସ ବେହେରା, ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ତେବେ ସନ୍ଧ୍ୟାରେ ରାଜସୁନାଖଳା ମାର୍କେଟ ବିଲଡିଂରେ ଡିଜିଟାଲ ମହୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ