ନୟାଗଡ଼: ନୟାଗଡ଼ରେ ICU ସୁବିଧା ନଥିବାରୁ ଚାଲିଗଲା ଜଣେ ସମାଜସେବୀଙ୍କ ଜୀବନ । ଯିଏ ଅନ୍ୟମାନଙ୍କ ସେବା କରୁଥିଲେ ତାଙ୍କୁ ଶେଷରେ ମିଳିଲାନି ସେବା । ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର । ତାଙ୍କର ମୃତ୍ୟୁ ପରେ ଝୁରୁଛନ୍ତି ସାଙ୍ଗସାଥି, ଝୁରୁଛନ୍ତି ଆତ୍ମୀୟସ୍ବଜନ । ଏଥିପାଇଁ ନୟାଗଡ଼ କଲେଜର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଯୁବସମାଜସେବୀ କାହ୍ନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ସହରରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ଯୁବ ସମାଜସେବୀ ଯୋଗ ଦେଇଥିଲେ ।
ନୟାଗଡ଼ ପୋଲିସ ପଡ଼ିଆ ଠାରୁ ଶତାଧିକ ଯୁବକ ଓ ସ୍ବେଛାସେବୀ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ନୟାଗଡ଼ ଦକ୍ଷିଣକାଳୀ ପଡ଼ିଆ ଠାରେ ପହଞ୍ଚିଥିଲେ । ସେଠାରେ ଯୁବ ସମାଜସେବୀ କାହ୍ନାଙ୍କ ଉଦ୍ଦେଶ୍ୟରେ ଶୋକପ୍ରାଥନା କରାଯିବା ସହ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ।
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସେବା ପ୍ରଦାନ ପାଇଁ ଦାବି ହୋଇଛି । ନଚେତ ଅନେକ ଜୀବନ ଦୀପ ଏପରି ଝଡି ଯିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଛାତ୍ରନେତା ପୃଥ୍ଵୀରାଜ ଦଳବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜ୍ୟୋତିରଞ୍ଜନ ସାହୁ, ନୟାଗଡ଼ କଲେଜର ପୂର୍ବତନ ଛାତ୍ରନେତା ଶିବରାମ ମହାପାତ୍ର, ବାଣୀବିହାର ଛାତ୍ରନେତା ରତନ ଡିଗଲ, ବିକାଶ ପ୍ରଧାନ, ଟି ନାରାୟଣ, ଜଗମୋହନ ନାୟକ, ସମୀର ଭଟ, ଚନ୍ଦନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ