ନୟାଗଡ: ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟାକାଣ୍ଡ ଘଟଣାକୁ ଦୀର୍ଘ 3 ମାସ ବିତିଗଲାଣି । ହେଲେ ପରୀକୁ ନ୍ୟାୟ ମିଳିଲା ନାହିଁ । ଆଜି (ମଙ୍ଗଳବାର) ବିଧାନସଭା ଆଗରେ ପରୀଙ୍କ ବାପା-ମା’ ଆତ୍ମହୁତି ଉଦ୍ୟମ କରିଥିଲେ । ଯାହା ସାରା ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନ୍ୟପଟେ ପରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରାଇବାରେ ନୟାଗଡ ଏସପିଙ୍କ ବିଫଳତା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯିବା ସହ ଏସପିଙ୍କ ତୁରନ୍ତ ବଦଳି ଦାବି କରାଯାଇଛି ।
ମଙ୍ଗଳବାର ନୟାଗଡ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ଲାକାର୍ଡ ପ୍ରଦର୍ଶନ କରାଯାଇ ବିକ୍ଷୋଭ କରାଯାଇଛି । ପରୀର ଅସହାୟ ବାପା-ମା’ ଆଜି ବିଧାନସଭା ଆଗରେ ପେଟ୍ରୋଲ ଢାଳି ହୋଇ ଆତ୍ମହୁତି ଉଦ୍ୟମ କରିବା ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବାରି ହୋଇଯାଇଛି । ଏଣୁ ନୟାଗଡରୁ ଏସପି ପ୍ରତ୍ୟୁଷ ଦିବାକରଙ୍କ ତୁରନ୍ତ ବଦଳି ଦାବି କରିଛି ଜିଲ୍ଲା କଂଗ୍ରେସ ।
ନୟାଗଡର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗାଁରେ ଜୁଲାଇ 14 ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ 5 ବର୍ଷର କୁନି ଝିଅ ପରୀକୁ ଅପହରଣ କରାଯାଇ ହତ୍ୟା କରାଯାଇଥିଲା ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ