ନୟାଗଡ଼: ମହାନଦୀ ବନ୍ୟା ଯୋଗୁଁ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେବଳ ମହାନଦୀ ନୁହେଁ, ତାର ଉପନଦୀ କୁସୁମୀ, କୁଆଁରୀଆ, ବୃତ୍ତଙ୍ଗ, କାଳିଗିରି ପ୍ରଭୁତି ନଦୀ ଜଳ ଅନୁରୂପ ଭାବେ ନିକଟସ୍ଥ ଗାଁକୁ ଦାଉ ସାଧିଛି । ଫଳରେ ପ୍ରାୟ ୫ ଶହ ଘର ଭାଙ୍ଗିଥିବା ନେଇ ଆକଳନ କରାଯାଉଛି । କ୍ଷତିଗ୍ରସ୍ତମାନେ ସରକାରୀ ସହାୟତାକୁ ଅନେଇ ବସିଥିବା ବେଳେ ପ୍ରଶାସନ ତରଫରୁ କୌଣସି ସହଯୋଗ ମିଳୁନଥିବା ଅଭିଯୋଗ ହୋଇଛି ।
ମହାନଦୀ ବନ୍ୟା ପ୍ରଭାବରେ ନୟାଗଡ଼ ଜିଲ୍ଲାରେ ବିଶେଷ ଭାବରେ ଖଣ୍ଡପଡ଼ା, ଭାପୁର ଏବଂ ଗଣିଆ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ଦିନ ଧରି ବନ୍ୟା ପାଣି ଜମି ରହିବାରୁ ଚାଳ, ଆଜବେଷ୍ଟ, ଟାଇଲ ଏବଂ ଗୁହାଳ ଘର ଆଦି ଭାଙ୍ଗିଯାଇଛି । ଫଳରେ ଅନେକ ଲୋକ ଏବେ ବେସାହାରା ହୋଇପଡ଼ିଛନ୍ତି । କିଏ ଗ୍ରାମର କୋଠଘରେ ଆଶ୍ରୟ ନେଇଛି ତ କିଏ ପଡୋଶୀ ଘରେ ମୁଣ୍ଡ ଗୁଞ୍ଜିଛି ।
ଏହାବି ପଢ଼ନ୍ତୁ...ବନ୍ୟାରେ ଭାଙ୍ଗିଛି ଅନେକ ଘର, ତୁରନ୍ତ କ୍ଷତିପୂରଣ ଦାବି
ସେପଟେ ପ୍ରଶାସନ ତରଫରୁ ମିଳୁଥିବା ରିଲିଫ ସମସ୍ତଙ୍କୁ ମିଳିପାରୁନଥିବା ଅଭିଯୋଗ ହୋଇଛି । ଏହା ସହିତ ହେକ୍ଟର ହେକ୍ଟର ଚାଷ ଜମି ମଧ୍ୟ ପାଣିରେ ବୁଡ଼ି ଫସଲ ନଷ୍ଟ ହୋଇଯାଇଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଭାପୁର ବ୍ଲକ କରବର ଏବଂ ଫତେଗଡ଼ ପଞ୍ଚାୟତ ବନ୍ୟା ଜଳ ଯୋଗୁଁ ଅଧିକ କ୍ଷତି ସହିଛି । ବନ୍ୟା କମିବା ପରେ ଆଶ୍ରୟ ନେଇଥିବା ଲୋକେ ଘରକୁ ଫେରୁଥିବା ବେଳେ ସେମାନଙ୍କର ଦୁର୍ଦ୍ଦଶା ବଢ଼ିଯାଇଛି । ପ୍ରଶାସନକୁ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସହାୟତା ମିଳିପାରିନଥିବା ଅଭିଯୋଗ ହୋଇଛି ।
ଏନେଇ ବିଡିଓଙ୍କ ନିର୍ଦ୍ଦେଶ ମିଳିବା ପରେ ଆମେ କ୍ଷୟକ୍ଷତିର ଆକଳନ କରୁଛୁ ବୋଲି ସ୍ଥାନୀୟ ସମାଜସେବୀ ପ୍ରମୋଦ କୁମାର ଚୌଧୁରୀ କହିଛନ୍ତି । ସେପଟେ ଭାପୁର ବିଡିଓ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଘର କିମ୍ବା ବିଲବାଡ଼ି ଜନିତ କ୍ଷୟକ୍ଷତିର ଆକଳନ କରିବା ମୋ ଅଧିନରେ ନାହିଁ । ଏହା ତହସିଲଦାରଙ୍କ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ । ତେଣୁ ତହସିଲଦାର ଏହାର ତଦନ୍ତ କରିବେ ।" ତେବେ ଅନ୍ୟାନ୍ୟ କ୍ଷୟକ୍ଷତିର ଆକଳନ କରି ଶୀଘ୍ର ସହାୟତା ଯୋଗାଇଦିଆଯିବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ନୟାଗଡ଼