ନୟାଗଡ: ଶୁଖୁଆ ନାଁ ଶୁଣିଦେଲେ ଓଡ଼ିଆଙ୍କ ପାଟିରୁ ବାହାରି ଆସେ ଲାଳ । ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଶୁଖୁଆ । ପଖାଳ ସାଙ୍ଗକୁ ଶୁଖୁଆ, ପ୍ରତିଟି ଓଡିଆଙ୍କ ପ୍ରିୟ ଖାଦ୍ୟ । ଆଉ ଏହି ଶୁଖୁଆ ପାଇଁ ଓଡ଼ିଶା ପ୍ରସିଦ୍ଧି ଲାଭ କରିଛି ରାଜସୁନାଖଳା । 150 ବର୍ଷରୁ ଊର୍ଦ୍ଧ ପୁରୁଣା ଶୁଖୁଆ ବଜାର ହେଉଛି ରାଜସୁନାଖଳା ଶୁଖୁଆ ବଜାର । ଭଲ ଏବଂ ସ୍ୱାଦଯୁକ୍ତ ଶୁଖୁଆ ମିଳୁଥିବାରୁ ଏଠାକୁ ରାଜ୍ୟର ବହୁ ସ୍ଥାନରୁ ଗ୍ରାହକଙ୍କ ସୁଅ ଛୁଟିଥାଏ । ସେ ଗାଁର ଚାଷୀ ହେଉ କି ସହରର ଅଫିସର ସମସ୍ତଙ୍କର ଶୁଖୁଆ-ପଖାଳ ପାଖରେ ଅହେତୁକ ଦୁର୍ବଳତା । ହେଲେ ଶୁଖୁଆରେ ନାଁ କରିଥିବା ରାଜସୁନାଖଳା ବଜାର ଉପରେ ନାହିଁ ପ୍ରଶାସନର ନଜର । ନା ଅଛି ବ୍ୟବସାୟୀଙ୍କ ପାଇଁ ବ୍ୟବସ୍ଥା ନା ଅଛି ବଜାରର ସୁରକ୍ଷା ।
କେବଳ ଯେ, ପଖାଳ ବୋଲି ନୁହେଁ ବରଂ ଗରମ ଗରମ ଭାତ ସହ ବି ଶୁଖୁଆ ଖାଇବାର ମଜା କିଛି ନିଆରା । ଓଡ଼ିଆ ଖାଦ୍ୟରେ ରହିଛି ଶୁଖୁଆର ସ୍ବତନ୍ତ୍ର ଚାହିଦା । ପୁଣି ଶୀତ ଦିନେ ତ ଏହାର ମଜା ବଢିଯାଏ ଦୁଇଗୁଣ । ସେଥିପାଇଁ ତ ଭଳିକି ଭଳି ଶୁଖୁଆ ଚାଙ୍ଗୁଡାରେ ସଜେଇ ହୋଇଛି ନୟାଗଡ ଜିଲ୍ଲା ରାଜସୁନାଖଳା ଶୁଖୁଆ ବଜାର । ରାଜସୁନାଖଳା, ଶୁଖୁଆ ପାଇଁ କାହିଁ କେଉଁ କାଳରୁ ପ୍ରସିଦ୍ଧି ଲାଭ କରିଛି ।
ଶୀତ ଦିନେ ଅଧିକ ଶୁଖୁଆ ବିକ୍ରି ହେଉଥିବାରୁ ବ୍ୟବସାୟୀଟିଏ ଏହି ସମୟକୁ ବେସ୍ ଉତ୍ସାହର ସହ ଅପେକ୍ଷା କରି ରହିଥାଏ । 57 ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଯିବାର ବାଟ କଡରେ ପଡ଼େ ରାଜସୁନାଖଳା ବଜାର । ଏହି ରାସ୍ତା ଦେଇ ପଶ୍ଚିମ ଓଡ଼ିଶାର ଲୋକେ ଯାତାୟାତ କରିଥାନ୍ତି । ଆଉ ଗଲାବେଳେ ଘରକୁ ଶୁଖୁଆ କିଣିନେଇଥାନ୍ତି । ଏହି ବଜାର ଶୁଖୁଆ ପାଇଁ ବେଶ ପ୍ରସିଦ୍ଧ । ଏଠାକାର ବ୍ୟବସାୟୀ ବର୍ଷ ତମାମ ବିଭିନ୍ନ ପ୍ରକାରର ଶୁଖୁଆ ବିକ୍ରି କରନ୍ତି । ଖାରପାଣିଆ, ଖଇଙ୍ଗା, କୋକଲି, ଚିଙ୍ଗୁଡ଼ି, ଚାନ୍ଦି, କଦଳିମଞ୍ଜ, ଖଙ୍ଗା, ଲାଞ୍ଜି, ବୋରାଗ, କାଉଆ, ପଥରମୁଣ୍ଡି, ଇଲିସି ମଞ୍ଜି, ଇଲିସ, ଲୁଣି ଆଦି 108 ପ୍ରକାରରୁ ଅଧିକା ଶୁୁଖୁଆ ଧାଡ଼ିକି ଧାଡି ପସରାରେ ଥୁଆ ହୋଇଛି ରାସ୍ତା କଡ଼ରେ ।
କିଲୋପ୍ରତି ୫୦ ଟଙ୍କାରୁ ଆରମ୍ଭ କରି ୪୦୦ ଟଙ୍କା ପର୍ଯ୍ୟନ୍ତ ଶୁଖୁଆ ମିଳେ ଏଠାରେ । ସବୁ ଧରଣର ଗ୍ରାହକଙ୍କ ପାଇଁ ଏଠାରେ ଶୁଖୁଆ ମିଳୁଥିବା ବ୍ୟବସାୟୀ କହିଛନ୍ତି । ତେବେ ବ୍ୟବସାୟୀ ଠୁ ଆରମ୍ଭ କରି ଗ୍ରାହକ ପର୍ଯ୍ୟନ୍ତ ସମସ୍ତେ ବର୍ଷ ତମାମ ଚାହିଁ ରହିଥାନ୍ତି ଶୀତଦିନକୁ । କାରଣ ଭଲ ଆଉ ସୁଲଭ ଦରର ଶୁଖୁଆ ପାଇ ଗ୍ରାହକ ଖୁସ୍ ଆଉ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ମଧ୍ୟ ଖୁସ୍ ।
ମାତ୍ର ଆଜି ବି ଅବହେଳିତ ଏହି ଐତିହାସିକ ଶୁଖୁଆ ଖଳା । ନା ହୋଇଛି ଶୁଖୁଆ ଖଳାର ଉନ୍ନତି ନା ବ୍ୟବସାୟୀଙ୍କୁ ମିଳିଛି ପ୍ରୋତ୍ସାହନ । ଜାତୀୟ ରାଜପଥ କଡରେ ଏହି ହାଟ ଥିବାରୁ ବଜାର ସଙ୍କୁଚିତ ହେବା ସହ ଟ୍ରାଫିକ ସମସ୍ୟା ମୁଖ୍ୟ କାରଣ ପାଲଟିଛି । ତେଣୁ ଦେଢ ଶହ ବର୍ଷର ଏହି ଶୁଖୁଆ ଖଳାର ଉନ୍ନତି ଏବଂ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ପାଇଁ ସାଧାରଣରେ ଦାବି ହୋଇଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ