ନୟାଗଡ଼: ସୁନାଲଟିର ସୁନା ଝିଅ ପ୍ରଜ୍ଞା ପରିଣୀତା ରାଜ୍ୟ ପାଇଁ ଆଣିଲେ ଗୌରବ । ସେ ଗତ ସେପ୍ଟେମ୍ବର 25 ତାରିଖରେ ନୂଆଦିଲ୍ଲୀ ନୋଏଡ଼ା ଠାରେ ଡ୍ୟାଜେଲ ମିସ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପକ୍ଷରୁ ଆୟୋଜିତ ଡ୍ୟାଜେଲ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଛନ୍ତି । ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ପ୍ରଜ୍ଞା ଭାଗ ନେଇଥିବା ବେଳେ ସଫଳତାର ସହିତ ଏହି ଟାଇଟେଲ ହାତେଇଛନ୍ତି ।
ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ 30 ଜଣରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । 25 ତାରିଖରୁ 5 ଦିନ ଧରି ବିଭିନ୍ନ କାଟାଗୋରୀରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗ୍ରାଣ୍ଡ ଫାଇନାଲ ରାଉଣ୍ଡରେ ଭାରତର 30 ଜଣ ପ୍ରତିଯୋଗୀ ଚୟନ ହୋଇଥିବା ବେଳେ 29 ଜଣ ମଡେଲଙ୍କୁ ପଛରେ ପକାଇ ପ୍ରଜ୍ଞା ବିଜୟ ମୁକୁଟ ପିନ୍ଧିଛନ୍ତି । ପ୍ରଜ୍ଞା ଭୁବନେଶ୍ବରର ଏକ ମେଡିକାଲ କଲେଜରେ ଫିଜିଓଥେରାପି ଛାତ୍ରୀ ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଓଡି଼ଶା ପ୍ୟାସନ ଭିଲ୍ଲା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି ।
ନିଜର ଦୃଢ଼ ଇଚ୍ଛାଶକ୍ତି ଓ ବାପା ମାଆଙ୍କ ସହଯୋଗ ଫଳରେ ମଡେଲ ମାଧ୍ୟମରେ ଆଜି ସେ ନୂଆଦିଲ୍ଲୀ ସ୍ଥିତ ଘରୋଇ କମ୍ପାନୀ ଦ୍ଵାରା ଇଣ୍ଟର ନ୍ୟାସନାଲ ମିସ ଇଣ୍ଡିଆ ରାମ୍ପ ଶୋ' ପ୍ରତିଯୋଗିତାରେ ଭାଗ ନେଇ ବିଜୟ ହାସଲ କରି ମିସ ଓଡ଼ିଶା ଓ ମିସ ଇଣ୍ଡିଆ ମୁକୁଟ ପିନ୍ଧିଥିବାରୁ ଆଗକୁ ଦେଶ ଓ ବିଦେଶରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ିଶାର ସୁନାମ ପାଇଁ ଉଦ୍ୟମ ଜାରି ରଖିଥିବା କହିଛନ୍ତି ପ୍ରଜ୍ଞା ।
ଝିଅ ମାନଙ୍କୁ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ନ ରଖି ସେମାନଙ୍କୁ ସୁଯୋଗ ଦେବା ଦରକାର । ଯାହା ଫଳରେ ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଉନ୍ମୋଚନ ହୋଇପାରିବ ବୋଲି ପ୍ରଜ୍ଞାଙ୍କ ମା' କହିଛନ୍ତି । ଏପଟେ ସୁନା ଝିଅ ପ୍ରଜ୍ଞାର ସଫଳତା ପାଇଁ ବାପା ମାଆ ଖୁସିଥିବା ବେଳେ ପ୍ରଜ୍ଞାଙ୍କୁ ଏବେ ଚାରିଆଡୁ ଛୁଟୁଛି ପ୍ରସଂଶାର ସୁଅ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ