ନୟାଗଡ: ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ନୂଆଗାଁ(Nuagaon village) । ଏଠାରେ 11ଟି ପରିବାର ବସବାସ କରନ୍ତି l ଗାଁର ଲୋକେ ସମସ୍ତେ ଦିନ ମଜୁରିଆ । କିଏ ଛେଳି ପାଳି ଜୀବିକା ନିର୍ବାହ କରୁଛି ତ ପୁଣି କିଏ ଗାଈ ଚରାଇ । ନୂଆଗାଁକୁ ଗମନାଗମନ ପାଇଁ ଭଲ ରାସ୍ତାଟିଏ ନାହିଁ । ଆମ୍ବୁଲାନ୍ସ କି ଦମକଳ ଭଳି ଜରୁରୀକାଳୀନ ସେବା ଏଠି ପହଞ୍ଚିବା କଷ୍ଟ । ଭଲ ରାସ୍ତାଟିଏ ନଥିବାରୁ ପିଲାମାନେ ପାଖ ଗାଁକୁ ଯାଇ ପାଠ ପଢିବାକୁ ଅମଙ୍ଗ ହେଉଛନ୍ତି । ଖାଲି ସେତିକି ନୁହେଁ, ଗାଁରେ କାହାରିକୁ ପକ୍କା ଘରଟିଏ ମଧ୍ୟ ମିଳିନି ।
ନୁଆଁଣିଆ ଚାଳ ଘରେ ବିତୁଛି ଜୀବନ । ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ଏବଂ ଟ୍ରାନ୍ସଫର୍ମର ବସିଛି । ମାଗଣାରେ ଲାଇନ ଯୋଗାଉଥିବା କଥା ସରକାର କହୁଥିବା ବେଳେ, ଏଠି କିନ୍ତୁ ଟଙ୍କା ଦେଇ ନପାରିବାରୁ କିଛି ଲୋକ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଆଉ ଯେଉଁମାନଙ୍କ ଘରେ ବିଦ୍ୟୁତ ସଂଯୋଗ ହୋଇଛି ତାହା କିଛି କାମରେ ଆସୁନି । କାଁଭାଁ ଯଦି କେବେ ଲାଇନ ଆସେ ତେବେ ଲାଇଟ ମିଞ୍ଜି ମିଞ୍ଜି ହୋଇ ଜଳେ । ଶିକ୍ଷା, ସ୍ବାସ୍ଥ୍ୟ ଏମାନଙ୍କଠାରୁ ବହୁ ଦୂରରେ ଥିବାବେଳେ, ସର୍ବନିମ୍ନ ସୁବିଧାରୁ ବଞ୍ଚିତ ଏମାନେ । ଗାଁର ଦୁଃଖ ବୁଝିବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି ଗ୍ରାମବାସୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ