ନୟାଗଡ଼: ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସ । ଏହି ମାସରେ ସମସ୍ତ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଯେଉଁଥିପାଇଁ ମନ୍ଦିର ଗୁଡିକରେ ଲାଗେ ଜନଗହଳି । ଗ୍ରାମାଞ୍ଚଳର ସବୁ ମନ୍ଦିର ହବିଷ୍ୟାଳିଙ୍କ ହୁଳହୁଳି ଓ ଘଣ୍ଟଘଣ୍ଟା ଧ୍ବନୀରେ ପ୍ରକମ୍ପିତ ହୋଇଉଠେ । ବିଶେଷ କରି ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ l ମାତ୍ର ଚଳିତବର୍ଷ କୋରୋନା କଟକଣା ଥିବାରୁ ଭକ୍ତଙ୍କୁ ମନ୍ଦିର ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯେଉଁଥିପାଇଁ ଏବେ ମନ୍ଦିରରେ ତାଲା ଝୁଲୁଛି ।
କାର୍ତ୍ତିକ ମାସର ସବୁ ସୋମବାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଥିଲା । କିନ୍ତୁ ଏଥର ମନ୍ଦିର ଖାଁ ଖାଁ । ଭକ୍ତକୁ ମନା ମନ୍ଦିର । କେବଳ ବିଧି ରକ୍ଷା ପାଇଁ ପୂଜାରୀ ପ୍ରଭୁଙ୍କର ପୂଜାର୍ଚ୍ଚନା କରୁଛନ୍ତି । ନୟାଗଡ଼ ଜିଲ୍ଲା ନଡ଼ିଆଳି ଗ୍ରାମପଞ୍ଚାୟତ ପଲ୍ଲୀଶାସନ ଗ୍ରାମର ବାବା ବାଲୁଙ୍କେଶ୍ବରଙ୍କ ପୁରାତନ ମନ୍ଦିର । ଏହା ପ୍ରସିଦ୍ଧ ମନ୍ଦିର ହୋଇଥିବାରୁ ଏଠାରେ କାର୍ତ୍ତିକ ମାସ ସୋମବାରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । କିନ୍ତୁ ଏବେ ମନ୍ଦିରରେ ତାଲା ଝୁଲିଛି ।
ଅନ୍ୟପଟେ ପୂଜକଙ୍କ କହିବାନୁସାରେ, ମନ୍ଦିର 2 ଶହ ବର୍ଷ ତଳର । କାହିଁ କେଉଁ ଅନାଦି କାଳରୁ ବାବା ବାଲୁଙ୍କେଶ୍ବର ପୂଜା ପାଇଆସୁଛନ୍ତି । ଏହା ଏକ ଶୈବ ପୀଠ ହୋଇଥିବାବେଲେ ଭକ୍ତଙ୍କ ମନସ୍କାମନା ପୂରଣ ହୁଏ ବୋଲି ଲୋକ ବିଶ୍ବାସ ରହିଛି । ମନ୍ଦିରକୁ ଲାଗି ଥିବା ପୁଷ୍କରିଣୀରେ ଭୋରୁ ଭୋରୁ ହବିଷ୍ୟାଳିଙ୍କ ଭିଡ଼ ଜମେ । ମାତ୍ର ମନ୍ଦିର ବନ୍ଦ ଥିବାରୁ ଠାକୁରଙ୍କ ଦର୍ଶନ ନପାଇ ଚିନ୍ତାରେ ହବିଷ୍ୟାଳି । ଅନ୍ୟପକ୍ଷେ ମନ୍ଦିରକୁ ପ୍ରାୟ 7ମାସ ହେବ ଭକ୍ତ ଆସୁ ନଥିବାରୁ ଚିନ୍ତାରେ ପୂଜକ । ମିଳୁଥିବା ଦାନ ଅନୁଦାନ ବନ୍ଦ ହୋଇଯାଇଛି ।
ପୂଜକଙ୍କ ରୋଜଗାର ନଥିବାରୁ ଚିନ୍ତାରେ ପରିବାର । ପଲ୍ଲୀଶାସନ ଗ୍ରାମର ପ୍ରାୟ 12 ପରିବାର ବାବା ବାଲୁଙ୍କେଶ୍ବରଙ୍କ ସେବା କରିଥାନ୍ତି । ମନ୍ଦିର ଉପରେ 12 ପରିବାର ନିର୍ଭରଶୀଳ । କିନ୍ତୁ ଏବେ ଏହି ପରିବାର ଅଭାବ ଅନଟନରେ ଦିନ କାଟୁଛନ୍ତି । ରୋଜଗାର ନଥିବାରୁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି 12 ପରିବାର । ସରକାର ପୂଜକମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କୋଭିଡ଼ି ନିୟମ ଭିତରେ ମନ୍ଦିର ଖୋଲିବାକୁ ପୂଜକମାନେ ଦାବି କରିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ