ନୟାଗଡ: କାର୍ଯ୍ୟକାରୀ ହୋଇପାରୁନି ନୂଆ ବସଷ୍ଟାଣ୍ଡ । ନୟାଗଡ ସହରରେ ବଢୁଥିବା ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି 2003ରେ ପୁରୁଣା ସହର ଠାରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା । ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରିନାହିଁ । ତେବେ ବିଭିନ୍ନ ସମୟରେ ବସଷ୍ଟାଣ୍ଡର ଉନ୍ନତି ପାଇଁ ବାରମ୍ଭାର ଅର୍ଥ ମଞ୍ଜୁର ହୋଇ କାର୍ଯ୍ୟ ମଧ୍ୟ ଚାଲୁରହିଛି ।
ତେବେ 2010ରେ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଏହି ବସଷ୍ଟାଣ୍ଡର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ଶୁଭ ଦିଆଯାଇଥିଲା । କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଜି ଯାଏଁ ବସଷ୍ଟାଣ୍ଡର କାମ ଶେଷ ହେଉ ନାହିଁ । ଅନ୍ୟପଟେ ପୁରୁଣା ବସଷ୍ଟାଣ୍ଟଟି ସହର ମଧ୍ୟରେ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏହାସହ ବସ ଗୁଡିକ ରାସ୍ତା ଉପରେ ରହି ବହୁ ସମସ୍ୟା ସୃଷ୍ଟି ହେଉଛି । ଦୀର୍ଘଦିନ ଧରି ମୁନିସିପାଲଟି କର୍ତ୍ତୃପକ୍ଷ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବାକୁ ପ୍ରତିଶ୍ରୁତି ଦେଇ ଚାଲିଥିବା ବେଳେ ଅଧିକାରୀ ଓ ଠିକାଦାର କେହି ଶୁଣୁନଥିବା ଅଭିଯୋଗ ହୋଇଛି । ତେବେ ବସଷ୍ଟାଣ୍ଡକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ