ନୟାଗଡ଼: ନୂଆଗାଁ ବ୍ଲକ ଉଦୟପୁର ଠାରେ ପ୍ରତିଷ୍ଠିତ ବିଶ୍ୱପ୍ରସିଦ୍ଧ ପାଠାଗାର ତଥା ଗବେଷଣା କେନ୍ଦ୍ରକୁ ଆସିଛି ବିରଳ ସାମଗ୍ରୀ । ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକଙ୍କ(ଦାଶିଆ ଅଜା) ଦ୍ଵାରା ଏହା ପ୍ରତିଷ୍ଠା କରାଯାଇଥିଲା । ଓଡ଼ଗାଁ ନିକଟସ୍ଥ ନନ୍ଦିଘୋର ଗ୍ରାମର ଶିକ୍ଷାବିତ ଭୀମସେନ ପ୍ରଧାନଙ୍କ ବାସଗୃହରୁ ୧୯୪୦ ମସିହାର ରେଙ୍ଗୁନ ନିର୍ମିତ ଏକ କାଠ କାରୁକାର୍ଯ୍ୟ ପୁରାତନ ବାକ୍ସ ଏବଂ କଣ୍ଟାବଣିଆ ଶାସନ ଶିକ୍ଷକ ରାସବଲ୍ଲଭ ଆଚାର୍ଯ୍ୟଙ୍କ ଠାରୁ ଦୁଇ ଖଣ୍ଡ ତାଳପତ୍ର ପୋଥି, ନୋଟ ଓ ମୁଦ୍ରା ଆସିଛି ।
ଏଥିସହ ସୁଧାକର ଆଚାର୍ଯ୍ୟଙ୍କ ପରିବାର ପକ୍ଷରୁ ବିଶିଷ୍ଟ ପୁରାଣ ଶାସ୍ତ୍ର ଲେଖକ ପଣ୍ଡିତ ଲକ୍ଷ୍ମଣ ଆଚାର୍ଯ୍ୟଙ୍କ ବ୍ୟବହୃତ ୭ ଗୋଟି ତାଳପତ୍ର ପୋଥି ଯାହାକି ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟ ସଂହିତା,ଝାଡଣ ମନ୍ତ୍ର, ଶ୍ରୀ ଗଣେଷ ସହସ୍ର ନାମ, ରାମାୟଣର ବିଭିନ୍ନ କାଣ୍ଡ, ହାଡିଦାସଙ୍କ କଳିକଳ୍ପ ମାଳିକା, ଶିକ୍ଷାବିତ ମୀନକେତନ ଷଡଙ୍ଗୀ ଏବଂ ମଞ୍ଚନାଟ୍ୟ ନିର୍ଦ୍ଦେଶକ ଗଦାଧର ନନ୍ଦଙ୍କ ଠାରୁ ଉପାଦେୟ ପୁସ୍ତକମାନ ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟ ପାଇଁ ଦାସିଆ ଆଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ଦ୍ଵାରା ସଂଗ୍ରହ କରାଯାଇଛି ।
ଏହି ସଂଗ୍ରହ କାର୍ଯ୍ୟ ପାଇଁ କଣ୍ଟାବଣିଆ ଗ୍ରାମର ଶିକ୍ଷାବିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ପଣ୍ଡିତ ନିରାକାର ଆଚାର୍ଯ୍ୟ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ । ସଂଗ୍ରହାଳୟର ଏହି ବିରଳ ସାମଗ୍ରୀମାନ ଦର୍ଶକ, ପର୍ଯ୍ୟଟକ, ଗବେଷକମାନଙ୍କୁ ଖୁବ ଆକୃଷ୍ଟ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।ଦାସିଆ ଅଜାଙ୍କ ସଂଗ୍ରହର ସ୍ୱପ୍ନକୁ ସାକାର କରିବା ପାଇଁ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ଦ୍ଵାରା ପାଠାଗାର, ସଂଗ୍ରହାଳୟ ପାଇଁ ସମଗ୍ର ଓଡିଶା ସମେତ ଦେଶ ବିଦେଶରୁ ସଂଗ୍ରହ କାର୍ଯ୍ୟ ଚାଲୁ ରହି । ଦୀପକଙ୍କର ଏହି ଉଦ୍ୟମକୁ ସାହିତ୍ୟ ସଂସ୍କୃତିପ୍ରେମୀମାନେ ପ୍ରସଂଶା କରିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ