ନୟାଗଡ: ଦୁର୍ଘଟଣା ଦେଇଛି ଅସରନ୍ତି ଦୁଃଖ l ସାଧାରଣ ଜୀବନ ଶୈଳୀରେ ଲାଗିଛି ରୋକ l ସରକାରୀ ସୁବିଧା ଟିକେ ପାଇବା ପାଇଁ ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହେଲେଣି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ସିଙ୍ଗାର ପଲ୍ଲୀ ପଞ୍ଚାୟତ ସୁଣ୍ଡୀଝୋଲା ଗ୍ରାମର ନିଳମଣି ମହାକୁଡ଼(NILAMANI MAHAKUD) ବୟସ 50 l ପରିବାର କହିଲେ ସ୍ତ୍ରୀ ନିମ ମହାକୁଡ ସମେତ ଗୋଟିଏ ପୁଅ ଏବଂ ଝିଅ l ନୀଳମଣି ଏକ ଦୁର୍ଘଟଣାରେ ଗୋଡ ହରାଇଛନ୍ତି l ଏବେ ଏକ ଆଶାବାଡ଼ି ଦ୍ବାରା ସେ ଚଳପ୍ରଚଳ କରୁଛନ୍ତି l ଦୁର୍ଘଟଣା ଘଟିବା ପରେ ତାଙ୍କ ରୋଜଗାରରେ ଲାଗିଛି ରୋକ l
ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଘରେ ବସି ରହିବା ଫଳରେ ଘର ଚଳିବା ସୁସ୍କିଲ ହୋଇଯାଇଛି l ଏପଟେ ସରକାରୀ ସୁବିଧା ସ୍ବରୂପ ଭତ୍ତା ଖଣ୍ଡିଏ ପାଇବା ପାଇଁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l କେବଳ ଭତ୍ତା ନୁହେଁ, ଅନ୍ୟନ୍ୟ ସରକାରୀ ସୁବିଧାରୁ ସେ ବଞ୍ଚିତ l ରାସନକାର୍ଡ ଏଯାବତ ତାଙ୍କୁ ମିଳିନାହିଁ l ତେବେ ନୀଳମଣିଙ୍କ ମା'କୁ ମିଳୁଥିବା ରାସନ ସାମଗ୍ରୀରେ ଚଳନ୍ତି ପୁରା ପରିବାର l ଏବେ ନୀଳମଣିଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ