ନୟାଗଡ଼: ସହରରେ ପ୍ରବଳ ବର୍ଷା । ମଧ୍ୟ ରାତ୍ରରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଜନଜୀବନ ବାଧାପ୍ରାପ୍ତ ହୋଇଛି । ପ୍ରବଳ ପରିମାଣରେ ବର୍ଷା ହେବା ଫଳରେ ଡ୍ରେନ ପାଣି ଘର ଭିତରକୁ ପ୍ରବେଶ କରିଛି । ଦୋକାନ ବଜାର ପ୍ରାୟତଃ ବନ୍ଦ ରହିଥିବା ବେଳେ ଗାଡି ମୋଟର ପ୍ରାୟତଃ ଯିବା ଆସିବା ବନ୍ଦ ରହିଥିଲା ।
ସେପଟେ ମହାନଦୀର ତଳିଆ ଅଞ୍ଚଳ ତଥା ଗଣିଆ, ଖଣ୍ଡପଡା ଓ ଭାପୁର ବ୍ଲକରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବାରୁ ଏକ ପ୍ରକାର ଜନଜୀବନ ବାଧାପ୍ରାପ୍ତ ହୋଇଛି । ନୟାଗଡ଼ରେ ପ୍ରବଳ ବର୍ଷା ହେବାରୁ ଚାଷୀ ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି ।
ତେବେ ସହରରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ବର୍ଷା ଜଳ ନିଷ୍କାସନ ହେବାରେ ବିଳମ୍ବ ହେଉଛି । ଯାହାର ଫଳ ସ୍ବରୂପ ସିନ୍ଦୁରିୟା, ଲକ୍ଷ୍ମଣ ନଗର, ହନୁମାନ ନଗର, ଓମେନ୍ସ କଲେଜ ଗଳି ପ୍ରଭୃତି ଅଞ୍ଚଳରେ କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ