ନୟାଗଡ଼: ଜିଲ୍ଲାରେ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ମିଲରମାନେ ଟୋକନ ଦେଉଥିବା ବେଳେ ଧାନ କିଣୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାକୁ ବିରୋଧ କରି ମଙ୍ଗଳବାର ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।
କଟନୀ ଛଟନୀ ବିରୋଧରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି । ଅନେକ ଚାଷୀ ଟୋକନ ପାଇଥିବା ବେଳେ ସେମାନଙ୍କ ଧାନ ସଂଗ୍ରହ ହୋଇ ନ ଥିବା ସହିତ ନକଲି ଚାଷୀ ଲାଭବାନ ହୋଇଛନ୍ତି । କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କୁ ସମ୍ପୂର୍ଣ ଅଣଦେଖା କରାଯାଉଥିବା ବେଳେ ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା କହିଛନ୍ତି ଚାଷୀ ।
ଏନେଇ ଚାଷୀମାନଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଧାନ କିଣାର ପ୍ରତିଶୃତି ଦେବା ପରେ ଚାଷୀମାନେ ଧାରଣାରୁ ଉଠିଥିବା ଦେଖିବାକୁ ମିଳିଥିଲା ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ