ନୟାଗଡ଼: ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ । ଛକ ଛକରେ ବଡ଼ ବଡ଼ ପୋଷ୍ଟର ବ୍ୟାନର ସାଙ୍ଗକୁ ପ୍ରାର୍ଥୀଙ୍କ ଭୋଟ ଭିକ୍ଷା ରାଜନୈତିକ ପାଣିପାଗକୁ ଆହୁରି ସରଗରମ କଲାଣି । ପଞ୍ଚାୟତ ନିର୍ବାଚନକୁ ନେଇ ନିର୍ବାଚନୀ ଉଷ୍ଣତା ବଢିବା ସହ ବୃଦ୍ଧି ପାଉଛି ହିଂସାକାଣ୍ଡ । ତେଣୁ ଦଶପଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ବ୍ଲକର ବିଭିନ୍ନ ସମ୍ବେଦନଶୀଳ ବୁଥ୍ ଏବଂ ଗ୍ରାମଗୁଡିକୁ ଚିହ୍ନଟ କରାଯାଇ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ଆହ୍ୱାନ ଦେବା ସହ ଦଶପଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଦଶପଲ୍ଲା ବ୍ଲକର ମଧ୍ୟଖଣ୍ଡ ସମେତ ସାକେଣୀ , ଶିମିଳିସାହି ଏବଂ ଦେଢଶର ଆଦି ଗ୍ରାମରେ ପୋଲିସ ପକ୍ଷରୁ ଆଜି(ରବିବାର) ଫ୍ଲାଗ୍ ମାର୍ଚ୍ଚ କରାଯାଇଛି ।
ଏସ୍ଡିପିଓ ଶୁଭେନ୍ଦୁ ସିହ୍ନାଙ୍କ ନେତୃତ୍ୱରେ ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା , ୧ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ଥାନାର କର୍ମଚାରୀଙ୍କୁ ନେଇ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି । ଏପରିକି ପୂର୍ବରୁ ନିର୍ବାଚନ ସମୟରେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ନୋଟିସ୍ ଜାରି କରାଯାଇଥିବାବେଳେ ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟାଇଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ପକ୍ଷରୁ ଚେତାବନୀ ଦିଆଯାଇଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ