ନୟାଗଡ: ଜିଲ୍ଲାର ନୂଆଗାଁ ବ୍ଲକରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ନୂଆଗାଁ ବାହାଡାଝୋଲା ପଞ୍ଚାୟତ ଆରଏମସି ପଡିଆଠାରେ ବିଜୁ ଜନତା ଦଳ ପକ୍ଷରୁ ମହିଳାମାନଙ୍କୁ ନେଇ ଏହି ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୯ଟି ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରା ବାହାଡାଝୋଲା ନିକଟ ବଡପଦାଠାରୁ ବାହାରି ମାଣିକପାଟଣା ଛକ ନିକଟରେ ଥିବା ଆରଏମସି ପଡିଆ ପର୍ଯ୍ୟନ୍ତ ଆସିଥିଲା । ନୂଆଗାଁ ବ୍ଲକର ବାହାଡାଝୋଲା, ବେରୁଆଁବାରୀ, ସିଙ୍ଗାରପଲ୍ଲୀ, ହରିପୁର, କାପ୍ତାପଲ୍ଲୀ, ଗୁମୀ, ଜାକେଡା, ଗାତେରୀ ଓ ପାରାଢିପି ଭଳି ୯ଟି ପଞ୍ଚାୟତରୁ ଆସିଥିବା ହଜାର ହଜାର ମହିଳା ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ ସ୍ବାଗତ ଭାଷଣ ପ୍ରଦାନ କରି ରାଜ୍ୟ ସରକାରଙ୍କର ଜନହିତକର ଯୋଜନା କିଭଳି ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେନେଇ ଆଲୋକପାତ କରିଥିଲେ । ଏହି ପଦଯାତ୍ରା ଏକ ସାମୂହିକ ଆନ୍ଦୋଳନରେ ପରିଣତ ହୋଇଥିବା ନେଇ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା କହିଥିଲେ । ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ କହିଥିଲେ, "ରାଜ୍ୟ ସରକାରଙ୍କର ମିଶନଶକ୍ତି ଏକ ଯୋଜନା ନୁହେଁ ଏକ ଅଭିଯାନ ।"
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ମହିଳାମାନଙ୍କର ଏହି ପଦଯାତ୍ରା ମିଶନ ଶକ୍ତିର ମହତ୍ବକୁ ସୂଚାଉଥିବା କହିଥିଲେ । ସେ କହିଥିଲେ, "ଯେ ପର୍ଯ୍ୟନ୍ତ ମାଆ ମାନେ ଆଗକୁ ଆସିନାହାଁନ୍ତି, ସେ ପର୍ଯ୍ୟନ୍ତ ଗାଁ, ପଞ୍ଚାୟତ କିମ୍ବା ବ୍ଲକ ଆଗେଇ ପାରିବ ନାହିଁ ।" ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଥିଥିଙ୍କ ମଧ୍ୟରେ ନୟାଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରାଜ୍ୟ ମହିଳା ବିଜେଡି ଉପସଭାପତି ସଞ୍ଜୁକ୍ତା ଦାସଗୁପ୍ତାଙ୍କ ସମେତ ଦଳର ବହୁ ତୃଣମୂଳସ୍ତରର ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ନୟାଗଡ଼