ନୟାଗଡ଼: ପୁଣି ଯୌତୁକ ପାଇଁ ବଧୂହତ୍ୟା । ରଣପୁର ଥାନାରେ ଏପରି ଏକ ଅଭିଯୋଗ ହୋଇଛି । ଇଟାମାଟି ଥାନା ଅନ୍ତର୍ଗତ ନାଗପୁର ଗ୍ରାମର ଅଶୋକ କୁମାର ସାହୁଙ୍କ ବଡ଼ ଝିଅ ସସ୍ମିତା କୁମାରୀ ସାହୁ 2020 ମାର୍ଚ୍ଚ 3 ତାରିଖ ରେ ରଣପୁର ଥାନା ଅଧିନସ୍ତ ରଙ୍କଦେଉଳି ଗ୍ରାମର ଗୋଲକ ବିହାରୀ ସାହୁଙ୍କ ଏକ ମାତ୍ର ପୁଅ ଦୀପକ କୁମାର ସାହୁଙ୍କ ସହ ବିବାହ କରିଥିଲେ l ବିବାହ ସମୟରେ ବର ପକ୍ଷ ଦାବି ମୁତାବକ ଯୌତୁକ ବାବଦକୁ 80 ହଜାର ଟଙ୍କା ସହ ଜ୍ବାଇଁଙ୍କୁ ସୁନା ଚେନ, ସୁନାମୁଦୀ,ସହ ଆନୁସଙ୍ଗିକ ସାମଗ୍ରୀ ଦିଆଯାଇଥିଲା l ବିବାହର 1 ମାସ ସଠିକ ଭାବେ ଚାଲିଥିଲା l ପରେ ସ୍ବାମୀ ଦୀପକ କୁମାର ସାହୁ ସେନା ବାହିନୀରେ ଚାକିରି କରିଥିବା ଯୋଗୁଁ ବାହାରକୁ ଚାଲିଯାଇଥିଲେ l ପରବର୍ତ୍ତୀ ସମୟରେ ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବି କରିଥିଲେ l
ମିଳିଥିବା ଯୌତୁକ ବାଦ ଆହୁରି 3ଲକ୍ଷ ଟଙ୍କା ସସ୍ମିତାଙ୍କୁ ବାପ ଘରୁ ଆଣିବା ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି l ସସ୍ମିତା ଏକଥା ବାପା ଓ ଭାଇଙ୍କୁ ଜଣାଇବା ପରେ ଉଭୟେ ନିଜେ ଯାଇ ଟଙ୍କା ବିଷୟରେ କଥା ହୋଇଥିଲେ l ଏଥିପାଇଁ 4/6 ମାସ ସମୟ ମଧ୍ୟ ମାଗି ଆସିଥିଲେ l କିନ୍ତୁ ଶାଶୁ ଘର ଲୋକେ ସସ୍ମିତାଙ୍କୁ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ କରିବା ସହ ସସ୍ମିତାଙ୍କ ବାପ ଘର ଲୋକେ ରଣପୁର ଥାନାରେ ଏ ନେଇ ଏତଲା ଦେଇଛନ୍ତି l
ପୋଲିସ ମୃତଦେହକୁ ବ୍ୟବଛେଦ ନିମନ୍ତେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି l ସ୍ବାମୀ ଦୀପକ ଅଟକ ଥିବା ବେଳେ ପୋଲିସ ଏ ନେଇ ଅଧିକ ତଦନ୍ତ କରୁଛି l ଅନ୍ୟପକ୍ଷରେ ସସ୍ମିତା ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକେ କହିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ