ନୟାଗଡ: ହାବିଲଦାରଙ୍କ ବ୍ରାଉନସୁଗାର ଲିଙ୍କ ନେଇ ଥାନାରେ ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଏସପି । ବ୍ରାଉନସୁଗାର କାରବାରକୁ ରୋକିବା ପରିବର୍ତ୍ତେ ନିଜେ ପୋଲିସ ବେପାରୀ ସାଜିଥିବା ଅଭିଯୋଗ ହୋଇଛି । ଏଭଳି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରୁ l
ଗୋଟିଏ ପକ୍ଷେ ଜିଲ୍ଲାରେ ବ୍ରାଉନସୁଗାର ରାକେଟକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ସ୍ପେଶାଲ ସ୍କ୍ୱାର୍ଡ ଗଠନ ହୋଇଥିବା ବେଳେ ଖୋଦ ପୋଲିସ ବିଭାଗ କର୍ମଚାରୀ ଖାକି ବର୍ଦ୍ଦିରେ ବ୍ରାଉନସୁଗାର ବେପାର କରିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ନୟାଗଡ଼ ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ରଞ୍ଜିତ ରଥ ଖାକି ବର୍ଦ୍ଦି ଆଢୁଆଳରେ ବ୍ରାଉନସୁଗାର କାରବାର ଚଳାଉଛନ୍ତି । ନିଜେ ଖାକି ପୋଷାକରେ ଥାଇ ଦଶପଲ୍ଲା ଅଞ୍ଚଳର କିଛି ବେପାରୀଙ୍କୁ ଧଳାଜହର ଦେବା ସହ ପୋଲିସ ପୋଷାକରେ ନିଜର କଳା ସାମ୍ରାଜ୍ୟ ଚଳାଉଥିବା ଅଭିଯୋଗ ଆସିଛି ।
ଯଦି ଏହାର କିଏ ପ୍ରତିବାଦ କରେ ସେ ପୋଲିସରେ ଅଛନ୍ତି ତାଙ୍କର କେହି କିଛି କରିପାରିବେ ନାହିଁ ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି l ତେବେ ଏନେଇ ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି ଯେ, ଅଭିଯୋଗ ଆସିଲେ ତଦନ୍ତ ହେବ । ଯଦି ଘଟଣାର ସତ୍ୟତା ଥିବ ତେବେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ