କଟକ: ପରୀକୁ ଦୁଷ୍କର୍ମ କରିବା ପୂର୍ବଦିନ ସାରା ରାତି ନିଜ ଭଉଣୀ ମୋବାଇଲରେ ଅଭିଯୁକ୍ତ ପର୍ଣ୍ଣୋଗ୍ରାଫି ଭିଡିଓ ଦେଖିଥିଲା ବୋଲି SIT ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ହେଲେ ଏହି ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଯୋଜନାବଦ୍ଧ ନଥିଲା ବୋଲି ଅଭିଯୁକ୍ତ SIT ସମ୍ମୁଖରେ ସ୍ବୀକାର କରିଥିବା SIT ମୁଖ୍ୟ କହିଛନ୍ତି ।
ହତ୍ୟାକାଣ୍ଡ ଦିନ ନାବାଳିକା ଅଭିଯୁକ୍ତ ଘରକୁ କୋଳି ଖାଇବାକୁ ଆସିଥିଲା । ଏହି ସମୟରେ ଅଭିଯୁକ୍ତ ଘରେ କେହି ନଥିବା ବେଳେ ସମୟର ସୁଯୋଗ ନେଇ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିଲା । ତେବେ ସେ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ବେଳେ ନାବାଳିକା ଚିତ୍କାର କରିବାରୁ ତା' ତଣ୍ଟି ଚିପି ହତ୍ୟା କରିଥିବା କହିଛି । ସବୁଠାରୁ ଚାଞ୍ଚଲ୍ୟକର ହେଉଛି ନାବାଳିକା ମୃତଦେହ ସହିତ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା ।
ଦୁଷ୍କର୍ମ ପରେ ନାବାଳିକାର ମୃତଦେହ ଓ ପୋଷାକକୁ ଏକ ଅଖାରେ ଭର୍ତ୍ତି କରି ଘର ପଛ ପାର୍ଶ୍ବରେ ଥିବା ପୋଖରୀରେ ଫିଙ୍ଗିଥିଲା । ତେବେ ଘରକୁ ଫେରିବା ପରେ ନାବାଳିକାର ଅନ୍ୟ କିଛି ପୋଷାକ ରହିଯାଇଥିବାରୁ ତାକୁ ପୁଣି ପୋଖରୀରେ ଫିଙ୍ଗିଥିଲା । ସେହି ପୋଷାକକୁ ଜବତ କରିବା ପାଇଁ SIT ଟିମ ପୋଖରୀ ଶୁଖାଇବା ପ୍ରକ୍ରିୟା ଜାରି ରିଖିଛି ।
ଅଭିଯୁକ୍ତର ନିଜସ୍ବ ଫୋନ ନଥିବା ବେଳେ ପ୍ରତିଦିନ ନିଜ ଭଉଣୀ ମୋବାଇଲରେ ପର୍ଣ୍ଣୋଗ୍ରାଫି ଭିଡିଓ ଦେଖୁଥିଲା । ତେବେ ଏହି ଘଟଣା ପୂର୍ବଦିନ ମଧ୍ୟ ସାରା ରାତି ଅଭିଯୁକ୍ତ ଅଶ୍ଳୀଳ ଭିଡିଓ ଦେଖିଥିଲା । ଭିଡିଓ ଦେଖିବା ପରେ ମୋବାଇଲର ସମସ୍ତ ସର୍ଚ୍ଚ ହିଷ୍ଟ୍ରିକୁ କାଟି ଦେଇଥିଲା । ଏହି ଅଶ୍ଳୀଳ ଭିଡିଓର ପ୍ରଭାବ ଅଭିଯୁକ୍ତ ଉପରେ ପଡ଼ିଥିବା ବେଳେ ହଠାତ୍ ନାବାଳିକାକୁ ଦେଖି ଏଭଳି କାଣ୍ଡ ଭିଆଇଥିଲା ଅଭିଯୁକ୍ତ । SIT ତଦନ୍ତ ସମୟରେ ଅଭିଯୁକ୍ତ ହତ୍ୟା ପରେ ଦୁଷ୍କର୍ମ କରିଥିବା ସ୍ବୀକାର କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ