ନୟାଗଡ: ପାହାଡ଼ କୋରଡ଼ ମଧ୍ୟରେ ବାସ କରୁଛନ୍ତି ମା' ଅସୁରକୁମାରୀ । ଆଉ ମା'ଙ୍କ ପାଦପଦ୍ମ ଦେଇ ନିରନ୍ତର ଝରୁଛି ଝରଣା । ଝରଣାର କୁଳୁକୁଳୁ ଶବ୍ଦ, ବନ୍ୟଜନ୍ତୁଙ୍କ ବିଚରଣ ଓ ଶାନ୍ତ ନିକାଞ୍ଚନ ପରିବେଶକୁ ଉପଭୋଗ କରିବାକୁ କାହିଁ କେଉଁ ସ୍ଥାନରୁ ପର୍ଯ୍ୟଟକମାନେ ଏଠାକୁ ଧାଇଁ ଆସିଥାନ୍ତି l ଏଠି ଘଡିଏ ବସିପଡିଲେ ଲାଗେ ଯେପରି ସମସ୍ତ ଥକ୍କା ପଣ ଦୂର ହୋଇଯିବ । ସେଥିପାଇଁ ତ ନୟାଗଡ଼ ରଣପୁର ବ୍ଲକ ବଜ୍ରକୋଟସ୍ଥିତ ମା' ଅସୁରକୁମାରୀଙ୍କ ପୀଠରେ ବର୍ଷ ତମାମ ଭିଡ ଲାଗିଥାଏ । କାହିଁ କେତେ ଦୂରରୁ ମା'ଙ୍କ ସାନିଧ୍ୟ୍ୟ ଲାଭ କରିବାକୁ ଧାଇଁ ଆସନ୍ତି ପର୍ଯ୍ୟଟକ । ଆଉ ଏହି ସ୍ଥାନର ଖାସ୍ କଥା ହେଉଛି ଶ୍ରୀପଞ୍ଚମୀ ସରସ୍ବତୀ ପୂଜା ଠାରୁ 2 ରୁ 3 ଦିନ ପର୍ଯ୍ୟନ୍ତ ଏଠାରେ ମହାଯଜ୍ଞ ହୋଇଥାଏ ।
ମା' ଙ୍କ ଏପରି ନା ପଛରେ ମଧ୍ୟ ରହିଛି ରହସ୍ୟ । ପୂର୍ବେ ଏହି ସ୍ଥାନରେ ରଣାସୁର ନାମକ ଅସୁର ବାସ କରୁଥିଲା । ଲୋକଙ୍କୁ ଭୟଭୀତ କରୁଥିଲା । ମା' ଏହି ଅସୁରକୁ ନିପାତ କରିଥିବାରୁ ମାଙ୍କ ନାମ ଅସୁରକୁମାରୀ ହୋଇଛି ବୋଲି ଲୋକ କଥା ରହିଛି l ବର୍ଷ ତମାମ ଖାସ କରି ମଙ୍ଗଳବାର ଓ ଶନିବାର ଏଠାରେ ଲୋକଙ୍କ ଭିଡ଼ ଜମି ଥାଏ l ବିଶ୍ବାସ ରହିଛି ମା'ଙ୍କ ପାଦପଦ୍ମ ଦେଇ ବୋହି ଯାଉଥିବା ଏହି ଝରଣାପାଣିରେ ଗାଧୋଇଲେ ଅନେକ ରୋଗବ୍ୟାଧିରୁ ମୁକ୍ତି ମିଳିଥାଏ । ଦକ୍ଷିଣ ଏସିଆରେ ଦେଖିବାକୁ ମିଳୁଥିବା ବିରଳ ଅତିକାୟ ଗୁଣ୍ଡୁଚିମୂଷା ଏଠାରେ ଦେଖିବାକୁ ପାଇବେ l ମନ୍ଦିର ପାର୍ଶ୍ୱରେ ଏହି ବିରଳ ବଡ଼ ଗୁଣ୍ଡୁଚିମୂଷା ବିଚରଣ କରିଥାନ୍ତି l ଯାହା ଦେଖିବାକୁ ଖୁବ ମନୋରମ । କିନ୍ତୁ ଏଠାରେ ପର୍ଯ୍ୟଟକଙ୍କ ପାଇଁ ବିଶେଷ ସୁବିଧା ନାହିଁ । ଏଠାକାର ଆହୁରି ଉନ୍ନତି ହେଲେ ପର୍ଯ୍ୟଟକ ଅନେକ ସୁବିଧା ପାଇଁ ପାରନ୍ତେ l ସେପଟେ ପ୍ରାକୃତିକ ପରିବେଶ ଘେରା ଏହି ପର୍ଯ୍ୟଟନସ୍ଥଳୀର ଉନ୍ନତି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି l
ଏଠାକୁ ଆସିବାକୁ ହେଲେ ଭୁବନେଶ୍ବର ଠାରୁ ମାତ୍ର 70 କିଲୋମିଟର ଏବଂ ନୟାଗଡ଼ରୁ 30 କିଲୋମିଟର ଦୂର ହେବ । ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ସୁବିଧା ପାଇଁ ବିଶେଷ ସୁବିଧା ନାହିଁ l ଏଠାକାର ଆହୁରି ଉନ୍ନତି ହେଲେ ପର୍ଯ୍ୟଟକ ଅନେକ ସୁବିଧା ପାଇଁ ପାରନ୍ତେ l ଏହି ପୀଠର ଉନ୍ନତି ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ