ନୟାଗଡ଼: ଏକ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ନୟାଗଡ଼ ଜିଲ୍ଲା ଇଟାମାଟି ପୋଲିସ। ବିଭିନ୍ନ ଗାଡ଼ି ଚୋରି ଓ ଡକାୟତି ଘଟଣାରେ ଏହି ଗ୍ୟାଙ୍ଗ ସାମିଲ ରହିଥିବା ନେଇ ପୋଲିସ ସୂଚନା ଦେଇଛି। ଏହି ଗ୍ୟାଙ୍ଗରେ ସାମିଲ ଥିବା 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଇଟାମାଟି ପୋଲିସ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଅନେକ ମାରଣାସ୍ତ୍ର ଜବତ କରିଛି ପୋଲିସ।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଇଟାମାଟି ଥାନା ଅନ୍ତର୍ଗତ ବିରୁଡ଼ା ଗ୍ରାମର ଦୁଃଶାସନ ପଲେଇଙ୍କ ପୁଅ ଶ୍ରୀନିବାସ ପଲେଇ ଓରଫ ନଣ୍ଡା ପଲେଇ, ବେଣୁଧର ବେହେରାଙ୍କ ପୁଅ ମୁରଲୀ ବେହେରା, ଫାସିପଡ଼ା ଗ୍ରାମର କୈଳାସ ପ୍ରଧାନଙ୍କ ପୁଅ ଗଣେଶ ପ୍ରଧାନ ଓ ଦୁର୍ଯ୍ୟୋଧନ ପରିଡ଼ାଙ୍କ ପୁଅ ଲକ୍ଷ୍ମୀଧର ପରିଡ଼ା। ଦୀର୍ଘଦିନ ଧରି ଏହି ଡକାୟତମାନେ ସ୍ଥାନୀୟ ଅଞ୍ଚଳରେ ଚୋରି ଓ ଲୁଟ ଭଳି ଘଟଣା ଚାଲିଥିଲେ।
କୌଣସି ସୂତ୍ରରୁ ଖବର ପାଇଁ ଆଜି(ମଙ୍ଗଳବାର) ବିରୁଡ଼ା ଗ୍ରାମରେ ଚଢ଼ାଉ କରିଥିଲା ଇଟାମାଟି ପୋଲିସ। ଚଢ଼ାଉ ବେଳେ ପୋଲିସ ଏହି 4 ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କ ନିକଟରୁ ଏକ ଟାଟାଏସି ଗାଡ଼ି ସହ ଦୁଇଟି କଟୁରୀ, ଗୋଟିଏ ବନ୍ଧୁକ ଏବଂ ୬ଟି ଅଫୁଟା ଗୁଳି ଜବତ କରିଛି। ଏନେଇ ଇଟାମାଟି ଏସ୍ଡିପିଓ ସୂଚନା ଦେଇଛନ୍ତି।
ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରିଥିଲା ଇଟାମାଟି ପୋଲିସ। ଏହାପରେ ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟଙ୍କ ନେତୃତ୍ବରେ ଏହି ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଗ୍ୟାଙ୍ଗରେ ଆଉ କିଛି ଅଭିଯୁକ୍ତ ସାମିଲ ଥିବା ନେଇ ସନ୍ଦେହ କରୁଛି ପୋଲିସ। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ ପୋଲିସ ସୂଚନା ଦେଇଛି।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ