ନବରଙ୍ଗପୁର: ଆଧ୍ୟାତ୍ମିକ ମାସ କାର୍ତ୍ତିକରେ ଆସ୍ଥାର ପାହାଡରେ ବିଶ୍ବାସର ପରୀକ୍ଷା । ନିଛାଟିଆ ପୋଡାଗଡ ପାହାଡରେ ଅଦ୍ଭୁଦ ଘଟଣା । ନିଜ ଶରୀରରେ ଭଗବାନ ଶିବ ପ୍ରବେଶ କରିଥିବା ଦର୍ଶାଇ ଭୋକଉପାସରେ 5 ଦିନ ହେବ ଧ୍ୟାନରେ ଯୁବତୀ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ପୁଣି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ପୋଡାଗଡ ଶୈବ ପୀଠ । ଗତ କିଛି ଦିନ ତଳେ ପୋଡାଗଡ ପାହାଡରୁ ପଥର ଖସିବାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ । ଆଉ ଏବେ ଜଣେ ଯୁବତୀଙ୍କ ଏପରି ବେଶ ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଖସିଥିବା ପଥରକୁ ଲୋକମାନେ ଇଶ୍ବର ଭାବି ପୂଜାର୍ଚ୍ଚନା କରୁଥିବାବେଳେ ଏବେ ଏ ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସ୍ବପ୍ନାଦେଶ ଦେଇ ଭଗବାନ ଶିବ ତାଙ୍କ ଶରୀରରେ ଆବିର୍ଭାବ ହୋଇଥିବା ଯୁବତୀ ଜଣଙ୍କ ଦାବି କରିଛନ୍ତି । ଏହାପରେ ସେ ଘଞ୍ଚ ଜଙ୍ଗଲ ଓ ପାହାଡରେ ଆଖି ବନ୍ଦ କରି 5 ଦିନ ହେବ ଧ୍ୟାନରେ ରହିଛନ୍ତି । ଉମରକୋଟ ବ୍ଲକ ବଡଭରଣ୍ଡି ପଞ୍ଚାୟତର ପୋଡାଗଡ ପାହାଡରେ ଯୁବତୀ ଜଣଙ୍କ ବସିଥିବାବେଳେ ସେଠାରେ ପୂଜା ପାଉଥିବା ବାବା ଭୈରବ ତାଙ୍କୁ ସ୍ବପ୍ନାଦେଶ କରି ତାଙ୍କ ଶରୀରରେ ପ୍ରବେଶ କରିଥିବା ସେ ଦାବି କରିଛନ୍ତି ।
ଏହାସହ ସେ ଏପରି 21 ଦିନ ଧରି ଧ୍ୟାନରେ ବସିବେ ବୋଲି ପୂଜକଙ୍କୁ କହିଛନ୍ତି । ସେପଟେ ଯୁବତୀର ଏପରି ଭାବ ଦେଖି କିଛି ବାଟ ଦୂରରେ ସ୍ଥାନୀୟ ଲୋକେ ତାଙ୍କୁ ଜଗି ରହିଛନ୍ତି । କିଛି ଦିନ ପୂର୍ବେ ପାହାଡରୁ ପଥର ଖସିଥିବାବେଳେ ଏବାକାର ସ୍ଥିତି ଲୋକଙ୍କୁ ଆହୁରି ଭୟଭୀତ କରାଇଦେଇଛି ।
ସୂଚନାଥାଉକି, ଏହି ଶୈବପୀଠକୁ ନବରଙ୍ଗପୁର ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ଓ ଛତିଶଗଡ ରାଜ୍ୟରେ ଭକ୍ତ ଆସିଥାନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ