ନବରଙ୍ଗପୁର: ସ୍ଥାନୀୟ ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ଗାଁ ଜଙ୍ଗଲରେ ଘଟିଛି ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଗୌରୀ ଅମନାତ୍ୟ । ସେ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ କରିବାକୁ ଯାଉଥିବା ବେଳେ ଭାଲୁ ଆକ୍ରମଣ କରିଥିଲା । ତେବେ ମୃତ ମହିଳାଙ୍କ ମୃତଦେହକୁ ଜଙ୍ଗଲ ମଧ୍ୟରେ ମା’ ଭାଲୁ ସହ ଦୁଇ ଛୁଆ ଭାଲୁ ଜଗି ବସିଥିବା ଦେଖିବାକୁ ମିଳିଥିଲା ।
ସୂଚନା ଅନୁଯାୟୀ ଗତ ଦୁଇ ଦିନ ହେବ ମହିଳା ଜଣଙ୍କ ନିଖୋଜ ଥିଲେ । ଏନେଇ ପରିବାର ଓ ଗ୍ରାମବାସୀ ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ଗୁରୁବାର ସକାଳେ ଖୋଜା ଖୋଜି କରିବା ସମୟରେ ମହିଳାଙ୍କ ମୃତଦେହ ମିଳିଥିଲା । ଯାହା ପାଖରେ ମା’ ଭାଲୁ ସହ ଦୁଇ ଛୁଆ ଭାଲୁ ଜଗି ରହିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ ଓ ପରିବାର ଲୋକେ । ଏ ସମ୍ପର୍କରେ ବନ ବିଭାଗ ଏବଂ ପୋଲିସକୁ ଖବର ଦେବା ପରେ ବର୍ତ୍ତମାନ ତାଙ୍କ ମର ଶରୀରକୁ ଉଦ୍ଧାର କରାଯାଇଛି ।
ସମ୍ପର୍କୀୟଙ୍କ କହିବା ଅନୁସାରେ ଭାଲୁମାନେ ଗୌରୀଙ୍କ ଶରୀରର କିଛି ଅଂଶ ଖାଇ ଦେଇଛନ୍ତି । ଖବର ପାଇ ନବରଙ୍ଗପୁର ଏସପି ନୀତିନ କୁଶଲକର ଘଟଣାସ୍ଥଳରେ ପହଞ୍ଚିଥିଲେ । ଅପରପକ୍ଷରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି କିଭଳି ଭାଲୁ ମୁହଁରୁ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିହେବା ସେନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ବନ ବିଭାଗ କର୍ମଚାରୀମାନେ ଗାଁ ଲୋକଙ୍କ ସହାୟତାରେ ନିଆଁ ହୁଳା ଓ ବାଣ ଫୁଟାଇ ଜଙ୍ଗଲ ଭିତରେ ପଡି ରହିଥିବା ଗୌରୀଙ୍କ ମରଶରୀରକୁ ଉଦ୍ଧାର କରିଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ