ନବରଙ୍ଗପୁର: ଜିଲ୍ଲା ଉମରକୋଟ ବ୍ଲକ୍ ହୀରାପୁର ପଞ୍ଚାୟତର ନୂଆଗୁଡ଼ା ଗ୍ରାମରେ ଦେଖା ଦେଇଛି ବାଘ ଆତଙ୍କ । ଗୋଟିଏ ବଳଦକୁ ଆକ୍ରମଣ କରି ମାରି ଦେଇଥିବା ପରେ ଲୋକଙ୍କ ମନରେ ଭୟ ଓ ଆତଙ୍କ ଖେଳିଯାଇଛି । ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।
ଉମରକୋଟ ବ୍ଲକ୍ ହୀରାପୁର ପଞ୍ଚାୟତର ନୂଆଗୁଡ଼ା ଗ୍ରାମ । ଯାହା ରହିଛି ଉମରକୋଟ ବନଖଣ୍ଡର ପୋଡ଼ଗଡ଼ ସଂରକ୍ଷିତ ଜଙ୍ଗଲରେ । ଏହି ଅଞ୍ଚଳରେ ଦେଖା ଦେଇଛି ବାଘ ଆତଙ୍କ । ଏକ ବଳଦକୁ କୌଣସି ଜଂଗଲୀ ହିଂସ୍ର ଜନ୍ତୁ ମାରି ଦେଇଛି । ମୃତ ବଳଦ ନିକଟ ରେ ରହିଛି କିଛି ପାଦ ଚିହ୍ନ ।
ଯାହାକୁ ଦେଖି ଗ୍ରାମବାସୀ ସନ୍ଦେହ କରିଚନ୍ତି ଯେ ଏହା ବାଘର ପାଦ ଚିହ୍ନ । ଏବଂ ବଳଦକୁ ବାଘ ହିଁ ମାରିଛି । ବର୍ତ୍ତମାନ ବଳଦକୁ ମାରିଛି । କିନ୍ତୁ କୌଣସି ସମୟ ରେ ଅନ୍ୟ କୌଣସି ଗୃହ ପାଳିତ ପଶୁ କିମ୍ବା ମଣିଷକୁ ମଧ୍ୟ ଆକ୍ରମଣ କରିପାରେ ବୋଲି ଗ୍ରାମବାସୀ ଭୟ ଓ ଆତଙ୍କରେ ରହିଛନ୍ତି । ଅନ୍ୟପକ୍ଷରେ ଘଟଣାରେ ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।
ଉମରକୋଟ ବନ ଖଣ୍ଡ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରେ ଥିବା ପାଦ ଚିହ୍ନକୁ ଦେଖିବା ପରେ ଏହା ବାଘ ନୁହଁ ବରଂ ହାଇନା ବା ହେଟା ବାଘ ବୋଲି କହିଛନ୍ତି । କେଉଁ ପରିସ୍ଥିତିରେ ବଳଦର ମୃତ୍ୟୁ ଘଟିଛି ।
ମୃତ ବଳଦକୁ ଖାଇଛି ନା କୌଣସି ହିଂସ୍ର ଜନ୍ତୁର ଆକ୍ରମଣରେ ମରିଛି ତାହା ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି କହିଛନ୍ତି ବନ ଖଣ୍ଡ ଅଧିକାରୀ । ଏବଂ ହେଟା ବାଘ ମଣିଷକୁ ଆକ୍ରମଣ କରନ୍ତି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ