ନବରଙ୍ଗପୁର: ଛତିଶଗଡ଼ ମେନପୁର ବ୍ଲକ ସରଗିଗୁଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଗ୍ରାମର କୈଳାସ କଶ୍ୟପଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟି 2 ବଖରା ପୋଡି ପାଉଁଶ ହୋଇଯାଇଛି । ଏଥିସହ ତାଙ୍କ ଘରକୁ ଲାଗିଥିବା ଏକ ତେଜରାତି ଦୋକାନ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି ।
ତେବେ କୋରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଛତିଶଗଡ ଗରିଆବନ୍ଧ ଜିଲ୍ଲାରେ ଲାଗୁ ହୋଇଥିବା ୧୪୪ ଧାରା ବଳବତ୍ତର ରହିଥିବାରୁ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଯଦ୍ବାରା ନିଆଁ ଲିଭାଇବା ପାଇଁ ଛତିଶଗଡ଼ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା ହୋଇପାରିନଥିଲା । ଅନ୍ୟପକ୍ଷରେ ଛତିଶଗଡ଼ ଉରମାଲ-ଦେଓଭୋଗ ଅଞ୍ଚଳ ଠାରୁ ୧୧୧ କିମି ଦୂରବର୍ତ୍ତୀ ଗରିଆବନ୍ଧ ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥାପିତ ଦମକଳ କେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସମ୍ଭବପର ନଥିଲା । ଏହାକୁ ଆଖି ଆଗରେ ରଖି କୈଳାସ କଶ୍ୟପ ଓଡିଶା ଚନ୍ଦାହାଣ୍ଡିରେ ରହୁଥିବା ନିଜ ସମ୍ପର୍କୀୟ ଜରିଆରେ ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗକୁ ଅବଗତ କରାଇବା ପରେ ନିଆଁ ଆୟତ ହୋଇଥିଲା । ଚନ୍ଦାହାଣ୍ଡି ବ୍ଲକ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟକୁ ଉଭୟ ରାଜ୍ୟବାସୀ ପ୍ରଶଂସା କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ