ନବରଙ୍ଗପୁର: କାମତା ପଞ୍ଚାୟତର ଯୋଗାଣ ସହାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଗରିବ ଲୋକଙ୍କ ପାଇଁ ଆସୁଥିବା କୋରୋନା ଟଙ୍କା ଓ ସାମଗ୍ରୀକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଏହି ବିପତ୍ତି ସମୟରେ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଉଥିବା କୋରୋନା ଟଙ୍କା ଓ ରାସନ ସାମଗ୍ରୀକୁ ଯୋଗାଣ ଅଧିକାରୀ ଚଳୁ କରିଦେବାକୁ ବସିଛନ୍ତି । ଏ ଅଭିଯୋଗ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତବାସୀ ଆଣିଛନ୍ତି ।
ବର୍ତ୍ତମାନ କୋରୋନା ଯୋଗୁଁ ସମଗ୍ର ଦେଶ କଲବଲ ହେଉଛି । ଲକଡାଉନ ସଟଡାଉନ ପାଇଁ ଅନେକ ନିଜର ଜୀବିକା ହରାଇଛନ୍ତି । ଏହି ଦୁର୍ଦ୍ଦିନ ସମୟରେ ସରକାର ଗରିବ ଲୋକଙ୍କୁ ପ୍ରତି ରାସନ କାର୍ଡ଼ ପିଛା 1000/-ଟଙ୍କା, 10 କିଲୋ ଚାଉଳ, 3 କିଲୋ ଡାଲି ଭଳି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ହେଲେ ଏବେ ସୁଦ୍ଧା ଏହା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିନାହିଁ। ଆଉ ଅନ୍ୟ କେତେକ ହିତାଧିକାରୀଙ୍କ କାର୍ଡରେ ରାସନ ମିଳିଥିବା ଦର୍ଶାଯାଇ ସେମାନଙ୍କ ଟଙ୍କା ଓ ରାସନକୁ ଚଳୁ କରିଦେବାକୁ ବସିଛନ୍ତି କାମତା ପଞ୍ଚାୟତର ଯୋଗାଣ ସହାୟକ ବସନ୍ତ ସଗରିଆ ।
ଏହା ବ୍ୟତୀତ ହିତାଧିକାରୀଙ୍କୁ ରାସନ କାର୍ଡ଼ କରାଇ ଦେବାକୁ 2000/- ଟଙ୍କା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ 5000/-ଟଙ୍କା ନେଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟରେ ଏକମାତ୍ର ଯୋଗାଣ ସହାୟକ ଅଛନ୍ତି, ନା ଏହାର ଚେର ଅଧିକ ଦୂରକୁ ଲମ୍ବିଛି, କେବଳ ସେତିକି ନା ଆଉ କଣ ହରିଲୁଟ ହୋଇଛି ତାହା ତଦନ୍ତ କରିବାକୁ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।
ପୂର୍ବରୁ ମଧ୍ୟ ଲକ୍ଷପତି ଯୋଗାଣ ସହାୟକ ବସନ୍ତ ସଗରିଆଙ୍କ ନାମରେ ଅନେକ ଅଭିଯୋଗ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି।ତେଣୁ ଏଭଳି ଅଭିଯୋଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଅଭିଯୋଗ କରାଯାଇଛି। ତେବେ ଏନେଇ ଯୋଗାଣ ସହାୟକ କିଛି ସଫେଇ ମିଳିପାରିନାହିଁ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ