ନବରଙ୍ଗପୁର: OSSC ତରଫରୁ ରାଜ୍ୟରେ ଅନୁଷ୍ଠିତ ହେଉଛି WEO ପରୀକ୍ଷା (Welfare Extension Officer Exam) । ତେବେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ ୪ କିମି ଦୂରରେ ଅବସ୍ଥିତ ପଲିଟେକ୍ନିକ କଲେଜ ଠାରେ WEO ପରୀକ୍ଷା ପାଇଁ ସେଣ୍ଟର ହୋଇଥିବାବେଳେ ଏଠାରେ ଅନେକ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।
OSSC ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଜିଲ୍ଲା ବାହାରକୁ ପରୀକ୍ଷା ଦେବାକୁ ଯାଇ ଖର୍ଚ୍ଚାନ୍ତ ହେଉଥିବାରୁ ସରକାର ନିଜ ଅଞ୍ଚଳରେ ପରୀକ୍ଷା ପାଇଁ ବ୍ୟବସ୍ଥା କରିଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ଅମାନବୀୟ କାର୍ଯ୍ୟକଳାପ ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଏଠାରେ ଆଡମିଟ କାର୍ଡରେ ସକାଳ ୮ଟା ସମୟରେ ପ୍ରବେଶ ଥିବାବେଳେ ଗେଟ ବନ୍ଦ ହେବାର ସମୟ ଥିଲା ୯ଟା । ଏବଂ ପରୀକ୍ଷା ଆରମ୍ଭ ସମୟ ଥିଲା ୯.୩୦ । କିନ୍ତୁ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆସିଥିଲେ ମଧ୍ୟ ଆଇଡି ପ୍ରୁଫ ଓ ସମୟର ଆଳ ଦେଖାଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପଶିବାକୁ ଅନୁମତି ଦେଇ ନଥିଲେ କର୍ତ୍ତୃପକ୍ଷ ।
ଘଟଣାକୁ ନେଇ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ଗଣମାଧ୍ୟମ କର୍ମଚାରୀଙ୍କୁ କଲେଜ ପରିସରରୁ ବାହାରି ଯିବାକୁ କହିବା ସହ ପରୀକ୍ଷା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରିଛନ୍ତି । ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବାହାରି ଯିବାପାଇଁ କହିଥିଲେ କଲେଜ ଅଧ୍ୟକ୍ଷ । ଏନେଇ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ କଲେଜ ପରିସର ମଧ୍ୟରେ ଧାରଣା ଦେବା ସହ ପରୀକ୍ଷା ବାତିଲ ପାଇଁ ଦାବି କରିଥିଲେ ।
କଲେଜ ଅଧ୍ୟକ୍ଷଙ୍କ ଏଭଳି ବ୍ୟବହାର ପାଇଁ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଯାଇଥିବା ଜଣାପଡ଼ିଛି । ଯେଉଁଠି ଗଣମାଧ୍ୟମକୁ ଦୁର୍ବ୍ୟବହାର ହେଉଛି ସେଇ ସ୍ଥାନରେ ଜିଲ୍ଲା ପିଲାଙ୍କୁ ପାତର ଅନ୍ତର କରିବା କିଛି ବଡ଼ କଥା ନୁହେଁ । ତେବେ ପରୀକ୍ଷୀରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ପାଇଁ ଅନୁମତି ନମିଳିଲେ, ଆଗାମୀ ଦିନରେ ଏହା ତୀବ୍ର ଆନ୍ଦୋଳନର ରୂପ ନେବ ବୋଲି ଆଲୋଚନା ହେଉଛି ।
ଇଟିଭି ଭାରତ, ନବରଙ୍ଗପୁର