ନବରଙ୍ଗପୁର: ପୁଣି ଗର୍ଭବତୀଙ୍କୁ ବୋହିଲେ । ସରକାର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ବିଭିନ୍ନ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିଲେ ମଧ୍ୟ ଲୋକଙ୍କ ପାଖରେ ଅପହଞ୍ଚ । ଖରାପ ରାସ୍ତା ଯୋଗୁଁ ଅବ୍ୟବସ୍ଥା ମଧ୍ୟରେ ଗର୍ଭବତୀଙ୍କୁ ନେଇ ମେଡିକାଲରେ ପହଞ୍ଚିଲେ ପରିବାର । ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଚିତ ନବରଙ୍ଗପୁରରେ ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡା ପଞ୍ଚାୟତର କପାଟପାଣି ଗ୍ରାମର ହରି ସାନ୍ତାଙ୍କ ସ୍ତ୍ରୀ ଲତା ସାନ୍ତା (୧୯ )ରବିବାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହା ପରେ ପରିବାର ବର୍ଗ ଓ ଆଶାଦିଦି ୧୦୮ ଏବଂ ୧୦୨ ଗାଡ଼ିକୁ ବାରମ୍ବାର ଯୋଗାଯୋଗ କରିଥିଲେ । କିନ୍ତୁ ବର୍ଷା ଏବଂ ଗ୍ରାମରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ପହଞ୍ଚିପାରିଲା ନାହିଁ ୧୦୮ କିମ୍ବା ୧୦୨ ଗାଡ଼ି । ଶେଷରେ ଉପାୟ ଶୂନ୍ୟ ହୋଇ ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ପ୍ରଥମେ କାଖେଇ କାଖେଇ ବହିବା ପରେ ଅଟୋରେ ବୋହିଲେ । ମାଟି ରାସ୍ତାରେ ଅଟୋକୁ ମଧ୍ୟ ରାସ୍ତାରେ ଦବି ଯିବା ଫଳରେ ଠେଲୁଥିବା ଦେଖିବାକୁ ମିଳିଛ । ଏହାପରେ ଭଲ ରାସ୍ତାକୁ ଆସିବା ପରେ ୧୦୮ ଗାଡ଼ି ଯୋଗେ ଗର୍ଭବତୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ