ନବରଙ୍ଗପୁର: ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ରାଜ୍ୟ ସରକାର ନୂତନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଡାକ୍ତର ଓ ଇଂଜିନିୟରିଂ ପଢିବା ପାଇଁ ପ୍ରବେଶିକା ପରୀକ୍ଷାରେ ପିଲାମାନେ ଏବେ ସଂରକ୍ଷଣର ସୁବିଧା ପାଇବେ । ଏହି ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟରେ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କର ଏହି ବ୍ୟବସ୍ଥାକୁ ନବରଙ୍ଗପୁର ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସରକାରୀ ସ୍କୁଲରେ ପାଠ ପଢି ଡାକ୍ତର ଓ ଇଂଜିନିୟର ହେବାକୁ ଆଶା ରଖୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ନବୀନ ସରକାର ଏହି ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ମେଧାବୀ ଛାତ୍ରଛାତ୍ରୀ ଥିଲେ ମଧ୍ୟ କୌଣସି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ ନବରଙ୍ଗପୁର ଜିଲ୍ଲା ଯୁବ ଛାତ୍ର ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ନବରଙ୍ଗପୁର ସହରର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ସ୍ବତନ୍ତ୍ର ସଭାର ଆୟୋଜନ କରି ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହା ଦ୍ଵାରା ନବରଙ୍ଗପୁର ଜିଲ୍ଲାର ଶିକ୍ଷତ ମେଧାବୀ ଛାତ୍ରଛାତ୍ରୀ ଆଶା ପୂରଣ ହୋଇପାରିବ ବୋଲି ଉପସ୍ଥିତ ବିଜେଡି ନେତାମାନେ କହିଛନ୍ତି ।
ଏହା ଏକ ସୁଦୂରପ୍ରସାରି ଯୋଜନା ହୋଇଥିବାରୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ଓ ବଣ ମଲ୍ଲୀ ବଣରେ ନ ମଉଳି ପ୍ରସ୍ଫୁଟିତ ହୋଇପାରିବେ ବୋଲି ବିଜେଡି ନେତାମାନେ ମତବ୍ୟକ୍ତ କରିଛନ୍ତି । ଏହାସହ ରାଜ୍ୟର ସମସ୍ତ ପ୍ରବାଦ ପୁରୁଷଙ୍କ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ