ନବରଙ୍ଗପୁର: କାଦୁ ପଚ ପଚ ରାସ୍ତାରେ ବୁହା ହୋଇଗଲେ ଗର୍ଭବତୀ । ବର୍ଷା ଜାରି ରହିଥିବାରୁ ଗର୍ଭବତୀଙ୍କୁ ପଲିଥିନି ଟାଣି ନେଉଥିବାର ଦେଖିବାକୁ ମିଳିଛି । ଏପଟେ ବିପଦ ସଂକୁଳ ଅବସ୍ଥାରେ ପୁଣି ଜଣେ ଗର୍ଭବତୀଙ୍କୁ 4 କିମି ଷ୍ଟ୍ରେଚରରେ ବୁହା ଯିବା ପରେ ହସ୍ପିଟାଲକୁ ଅଣାଯାଇଛି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଅଞ୍ଚଳରେ ।
ଥମୁନି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ପୁଣି ବୁହା ହେଲେ ଗର୍ଭବତୀ । ମାଲିଆମ୍ବ ଗାଁର ସୁନ୍ଦୁର ସାନ୍ତାଙ୍କ ପତ୍ନୀ ଦମେଇ ସାନ୍ତାଙ୍କ ପ୍ରସବ ବେଦନା ହେବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ । ହେଲେ ରାସ୍ତା ଖରାପ ଯୋଗୁଁ ଅଧା ବାଟରେ ଅଟକି ରହିଲା ଆମ୍ବୁଲାନ୍ସ । ଗତ କିଛି ଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ କାଦୁଅରେ ଭର୍ତ୍ତି ରହିଛି । ଏପରି ସ୍ଥଳେ ଗାଁ ଲୋକେ ଷ୍ଟ୍ରେଚରରେ ଭାର କରି ଡମେଇଙ୍କୁ ପ୍ରାୟ ୪ କିମି ବୋହି ବୋହି ଖଜିରି ଗାଁ ନିକଟକୁ ଆଣିଥିଲେ।
ଖଜିରି ଗାଁ ଠାରୁ ଆମ୍ବୁଲାନସ ଯୋଗେ ମଇଦଲପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦମେଇଙ୍କୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।
ସେପଟେ, ସରକାର ଶତ ପ୍ରତିଶତ ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ କରାଇବା ପାଇଁ ମା’ ଗୃହ ମାନ ସ୍ଥାପନ କରିଛନ୍ତି । ହେଲେ ରାସ୍ତା ଘାଟ ନଥିବା ଗାଁ ଗୁଡିକରୁ ଗର୍ଭବତୀ ମହିଳା ମାନଙ୍କୁ ପ୍ରସବ ତାରିଖ ର ୭ ରୁ ୧୫ଦିନ ପୂର୍ବରୁ ଅଣାଯାଇ ମା’ ଗୃହରେ ଆଣି ରଖିବାର ନିୟମ ରହିଛି। ମା’ ଗୃହରେ ରଖି ଚିକିତ୍ସା କରିବା ପରେ ଉକ୍ତ ମହିଳାଙ୍କୁ ଡାକ୍ତରଖାନାକୁ ନେଇ ପ୍ରସବ କରାଯାଇଥାଏ । ତେବେ ଏସବୁ ନିୟମ ସତ୍ତ୍ବେ କିପରି ଜନନୀ ଯନ୍ତ୍ରଣା ଦେଖିବାକୁ ତାକୁ ନେଇ ଉଠିଛି ପ୍ରଶ୍ନ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ