ନବରଙ୍ଗପୁର: କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପରେ ପ୍ରଥମ ଥର ପାଇଁ ଗଣ ମାଧ୍ୟମ ସମ୍ମୁଖକୁ ଆସିବେ ପ୍ରଦୀପ ମାଝୀ । କଂଗ୍ରେସ ଛାଡିବାର କାରଣ ସମ୍ପର୍କରେ ନିଜ ମନ୍ତବ୍ୟ ରଖିବେ । ନିଜ ଅନୁଗତ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି ।
ଏଥିପାଇଁ ନବରଙ୍ଗପୁରର ଏକ କଲ୍ୟାଣ ମଣ୍ଡପରେ ପ୍ରସ୍ତୁତି ଜୋରଦାର ଚାଲିଛି । ଗତ କିଛିଦିନ ପୂର୍ବରୁ ଜିଲ୍ଲା କଂଗ୍ରେସର ବିଭିନ୍ନ ପଦପଦବୀରେ ଥିବା ନେତା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି । ଏମାନଙ୍କୁ ନେଇ ପ୍ରଦୀପ ମାଝୀ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ସମ୍ପର୍କରେ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅନେକ ସମର୍ଥକ ତଥା କଂଗ୍ରେସକର୍ମୀ ନିଜ ନିଜ ପଦପଦବୀରୁ ଇସ୍ତଫା ଦେଇ ପ୍ରଦୀପଙ୍କ ପ୍ରତି ନିଜ ସମର୍ଥନ ଘୋଷଣା କରିବାର ସମ୍ଭାବନା ରହିଛି । ତେବେ ପ୍ରଦୀପ କୌଣସି ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇ ନ ଥିଲେ ମଧ୍ୟ ଆଜି ସମର୍ଥକଙ୍କ ନିଷ୍ପତ୍ତି ଅନୁସାରେ ଦଳ ଚୟନ କରିବେ ବୋଲି ଚର୍ଚ୍ଚା ହେଉଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ