ନବରଙ୍ଗପୁର: ବ୍ୟବଚ୍ଛେଦର ୪ ଦିନ ହେଲାଣି ମେଡିକାଲରେ ପଡିରହିଛି ମୃତଦେହ । ଏ ହେଉଛି ଡାବୁଗାଁ ମେଡିକାଲର ଦୃଶ୍ୟ । ମୃତଦେହ ରଖିବା ପାଇଁ କୌଣସି ଗୃହ ନଥିବା ବେଳେ ମେଡିକାଲ ପରିସରରେ ରଖାଯାଇଛି ଖୋଲାରେ ରଖାଯାଇଛି ମୃତଦେହ । ବର୍ତ୍ତମାନ ମୃତଦେହ ଧୀରେ ଧୀରେ ଷଢି ଦୁର୍ଗନ୍ଧ ବାହାରୁଛି । ସେଠାରେ ଥିବା ରୋଗୀମାନେ ରହିବା ଅସୁବିଧା ହେଉଥିବା ସ୍ଥଳେ ପ୍ରଶାସନ ନିରବ ରହିଛି । ଏବେ ପ୍ରଶ୍ନ ଉଠୁଛି ଯଦି ପରିବାର ବର୍ଗ ନ ଆସିବେ ତାହାହେଲେ ଆଉ କେତେଦିନ ମୃତଦେହ ଏଭଳି ବ୍ୟବସ୍ଥାରେ ମେଡିକାଲ ପରିସର ମଧ୍ୟରେ ରଖାଯିବ ।
ସୂଚନାଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନରେ ବୁଧବାର ବିଳମ୍ବିତ ରାତ୍ରିରେ ଡାବୁଗାଁ- ଉମରକୋଟ ରାଜ୍ୟ ରାଜପଥ- ୩୯ ଚାଟିଗୁଡା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଉକ୍ତ ବ୍ୟକ୍ତି ଜଣକ ନୟାଗଡ ଜିଲ୍ଲାର ସିନୁରାଇ ଗ୍ରାମର ତ୍ରିନାଥ ଜେନା (୪୮) ବୋଲି ଜଣାପଡିଛି । ସେ ଗତ ୭/୮ ବର୍ଷ ହେଲା ଘରୁ ଚାଲି ଆସି ଉମରକୋଟ ଠାରେ ଏକ ଗ୍ୟାରେଜରେ ଦୈନିକ କୁଲି ଭାବେ କାମ କରୁଥିଲେ ।
ଗୁରୁବାର ସକାଳେ ଖବର ପାଇ ଡାବୁଗାଁ ଥାନା ସବଇନିସ୍ପେକ୍ଟର ଚନ୍ଦ୍ରଭାନୁ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ବ୍ୟବଚ୍ଛେଦର ୪ ଦିନ ହେବ ମୃତଦେହ ମେଡିକାଲରେ ପଡିରହିଛି । ଏନେଇ ଥାନା କେସ ନଂ ୨୦୩/୨୧ ରେ ଏକ ମାମଲା ରୁଜୁ କରାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ