ନବରଙ୍ଗପୁର: ‘ଚୋରୀ କରିଛୁ ଯଦି ଧରି ପାରୁଛ ଧର’ ଏଭଳି ଖୋଲା ଚ୍ୟାଲେଞ୍ଜ କରି ଧୁମ୍ ଫିଲ୍ମ ଷ୍ଟାଇଲରେ ଚୋରି କରି ଆଜି (ଶୁକ୍ରବାର) ପୋଲିସ ପଞ୍ଝାରେ ଫଶିଛନ୍ତି ଦୁଇ ଗ୍ରାଜୁଏଟ ଶିକ୍ଷିତ ଯୁବକ । ସେମାନଙ୍କୁ ମହଙ୍ଗା ପଡିଛି ପୋଲିସକୁ ଦେଇଥିବା ଖୋଲା ଚ୍ୟାଲେଞ୍ଜ । ନବରଙ୍ଗପୁର ପୋଲିସକୁ ଖୁବ କମ ସମୟରେ ମିଳିଛି ଏହି ସଫଳତା । ଚୋରର ହାତଲେଖାକୁ ସନ୍ଦେହ କରି କିଛି ଲୋକଙ୍କୁ ଆଣି ପଚରାଉଚରା କରୁଥିବା ବେଳେ ଦୁଇ ଜଣଙ୍କ ହାତଲେଖା ବ୍ଲାକବୋର୍ଡର ଲେଖା ସହ ମେଳ ଖାଇଥିଲା ଏବଂ ପରେ ସେଇ ଦୁଇ ଜଣ ନିଜ ଦୋଷ ମଧ୍ୟ ପୋଲିସ ଆଗରେ ସ୍ବୀକାର କରିଥିଲେ । ତେବେ ଦୁଇ ଅଭିଯୁକ୍ତ ସ୍କୁଲ ସାମଗ୍ରୀ ଲୁଟ ଅଭିଯୋଗରେ ଗିରଫ ହୋଇଛନ୍ତି ।
ଚୋରକୁ ଧରିବା ପାଇଁ ଲୋକାଲ ଲୋକଙ୍କ ସହ ମଧ୍ୟ ବିଭିନ୍ନ ଦିଗରେ ଆଲୋଚନା କରିଥିଲା ଖାତିଗୁଡା ପୋଲିସ । ଗିରଫ ଦୁଇ ଯୁବକ ହେଲେ ଆଦିତ୍ୟ କୁମାର ଦାସ ଓ ଆନନ୍ଦ କୁମାର ଦାସ। ଏହି ଦୁଇ ଜଣ ଅବସରପ୍ରାପ୍ତ ପିଅନ ପ୍ରମୋଦ କୁମାର ଦାସଙ୍କ ପୁଅ। ଜଣେ B.com ପାସ କରିଥିବା ବେଳେ ଅନ୍ୟ ଜଣେ B. sc କରିଥିବାର ସୂଚନା ଦେଇଛି ପୋଲିସ। କିଛି କାମ ଧନ୍ଦା ନପାଇ ଘରେ ବସିଥିବାରୁ ଏଭଳି କାଣ୍ଡ କରିଥିବା କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା । ‘‘ଆମେ ସ୍କୁଲ ପିଲା, ଆମକୁ ଧରି ପାରିଲେ ଧାର, ଆଉ ଆମେ ପୁଣି ଆସିବୁ’’ ବୋଲି ଯେଉଁ ଲେଖା ବ୍ଲାକବୋର୍ଡରେ ଲେଖିଲେ ତାହା ହିଁ ଚୋରକୁ ଧରିବାରେ ସହାୟକ ହୋଇଛି l
ଇଟିଭି ଭାରତ, ନବରଙ୍ଗପୁର