ନବରଙ୍ଗପୁର: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନବରଙ୍ଗପୁର ରକ୍ତତୀର୍ଥ ପାପଡାହାଣ୍ଡି ଟୁରି ନଦୀକୂଳ ଶହୀଦ ସ୍ତମ୍ଭ ଠାରେ ପାଳିତ ହୋଇଯାଇଛି ଶହୀଦ ସ୍ମୃତି ଦିବସ । ୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ ଇଂରେଜଙ୍କ ଦ୍ବାରା ଅତର୍କିତ ଗୁଳିମାଡରେ ୧୯ ସ୍ବାଧୀନତା ସଂଗ୍ରାମୀ ପାପଡାହାଣ୍ଡିସ୍ଥିତ ଟୁରି ନଦୀକୂଳରେ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଥିଲେ । ସେହିଦିନ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଶହୀଦଙ୍କ ବୀରତ୍ବର ସ୍ମୃତିଚାରଣ ପାଇଁ ପ୍ରତିବର୍ଷ ଏହି ସ୍ଥାନରେ ପାଳନ କରାଯାଉଛି ଶହୀଦ ଦିବସ ।
ଆଜିର କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ଶହୀଦ ମଶାଲ ପାପଡାହାଣ୍ଡି ଠାରେ ପହଞ୍ଚିବା ପରେ ଅତିଥି ଭାବେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା , ହସ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ଏସପି ପୁରୁଷୋତ୍ତମ ଦାସ ତଥା ଅନ୍ୟାନ୍ୟ ଅତିଥି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇଥିଲା ।
ଏକ ବିରାଟ ପଟୁଆରରେ ମଶାଲକୁ ଶହୀଦ ପୀଠକୁ ଅଣାଯାଇ ସ୍ଥାପନା କରାଯାଇଥିଲା । ଅତିଥିମାନେ ଶହୀଦଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିବା ପରେ ପୋଲିସ ବିଭାଗ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହାପରେ ଅତିଥିମାନଙ୍କ ଦ୍ବାରା ଶହୀଦଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶହୀଦଙ୍କ ଦାୟଦଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।
ଶହୀଦଙ୍କ ସ୍ମୃତିଚାରଣ କରିବା ସହ ଶହୀଦ ପରିବାରର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ମତପ୍ରକାଶ ପାଇଥିଲା । ଏଥିସହ ଉକ୍ତ କାର୍ଯ୍ୟକ୍ରମକୁ କେବଳ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସୀମିତ ନରଖି ଏହାକୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭାବେ ପାଳନ କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଚଳିତ ବର୍ଷ କୋରୋନା କଟକଣାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମକୁ ସୀମିତ ସଂଖ୍ୟକ ଲୋକଙ୍କ ମଧ୍ୟରେ ସମାପ୍ତ କରାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ