ନବରଙ୍ଗପୁର: ନବରଙ୍ଗପୁର ଥାନା ପକ୍ଷରୁ ବାଇକ ଚୋରି ମାମଲାରେ ଜଣକୁ ଗିରଫ କରିବା ସହ ୧୦ଟି ମୋଟର ସାଇକେଲ ଉଦ୍ଧାର କରାଯାଇଛି। ପ୍ରାୟ ଏକବର୍ଷ ହେବ ନବରଙ୍ଗପୁର ଓ ଏହାର ଆଖ ପାଖ ଅଞ୍ଚଳରେ ବାଇକ ଚୋରି ବୃଦ୍ଧି ପାଇବାରେ ଲାଗିଛି ।
ଏକ ସପ୍ତାହ ପୂର୍ବେ ଗୋଟିଏ ବାଇକ ସ୍ଥାନୀୟ ନରସିଂହ ଲଜ୍ ସମ୍ମୁଖରୁ ଚୋରି ହେବା ପରେ ପୁଲିସ ଉକ୍ତ ଲଜର ସିସିଟିଭି କ୍ୟାମେରାକୁ ଆଧାର କରି ପାପଡାହାଣ୍ଡି ଥାନା ଅନ୍ତର୍ଗତ ତଣ୍ଡା ଗ୍ରାମର ନରେନ୍ଦ୍ର ମାଝୀକୁ ଚିହ୍ନଟ କରିଥିଲା। ପରେ ନରେନ୍ଦ୍ରକୁ ପୋଲିସ ପିଛା କରିଥିଲା। ନରେନ୍ଦ୍ର କିପରି ଚୋରି କରୁଛି ତାହା ଜାଣିବା ପାଇଁ ଇଛାବତି ଗୁଡା ନିକଟରେ ଏକ ବାଇକକୁ ପୁଲିସ ଟିମ୍ ଜଗି ରହିଥିଲେ। ପୂର୍ବ ଭଳି ନରେନ୍ଦ୍ର ଉକ୍ତ ବାଇକକୁ ନେଇ ଯିବା ସମୟରେ ପୂର୍ବରୁ ସଜାଗ ଥିବା ପୋଲିସ କାବୁ କରି ଥାନାକୁ ଆଣିଥିଲା।
ନରେନ୍ଦ୍ରକୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସମୟରେ ତାଙ୍କଠାରୁ ବହୁ ରୋଚକ ତଥ୍ୟ ମିଳିଥିଲା। ନରେନ୍ଦ୍ର ବାଇକ ଚୋରି କରି କିପରି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲା ସେ ନେଇ ପ୍ରକାଶ କରିଥିଲା। ପରେ ସେ ବିକ୍ରି କରିଥିବା ୧୦ ଗୋଟି ବାଇକକୁ ନବରଙ୍ଗପୁର ପୁଲିସ କଳାହାଣ୍ଡି, ତଣ୍ଡା, ସିରିଶି, ରାଇଘର ଆଦି ଅଞ୍ଚଳରୁ ଉଦ୍ଧାର କରିଛି । ପରେ ନରେନ୍ଦ୍ରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ତେବେ ନରେନ୍ଦ୍ରକୁ ଏହି ଚୋରିରେ ସହଯୋଗ କରୁଥିବା ତାର ଅନ୍ୟ ୨ ଜଣ ସହଯୋଗୀକୁ ଖୋଜୁଛି ପୁଲିସ। ଅନ୍ୟ ୨ ଜଣ ଧରାପଡିଲା ପରେ ଆହୁରି ବହୁ ଚୋରୀ ବାଇକ ଉଦ୍ଧାର ହେବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ତାରିକ ଅହମ୍ମଦ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ